ବିହାରରେ ଶିକ୍ଷକ ଆଶାୟୀଙ୍କ ଉପରେ ପୋଲିସର ନିର୍ମମ ଭାବେ ଲାଠିଚାର୍ଜ! ଏକାଧିକ ଛାତ୍ର ଆହତ
ବିହାର , ୮ | ୫ : ବିହାରର ରାଜଧାନୀରୁ ଆସିଛି ଏକ ଅଭାବନୀୟ ଘଟଣା | ପାଟନାରେ ଶିକ୍ଷକ ନିଯୁକ୍ତି ପରୀକ୍ଷା ବିଜ୍ଞପ୍ତି ପ୍ରକାଶ ପାଇଁ ଦାବି କରି ଆନ୍ଦୋଳନ କରୁଥିବା ଶହ ଶହ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ ଲାଠିଚାର୍ଜ କରିଛି । ଶିକ୍ଷକ ନିଯୁକ୍ତି ପରୀକ୍ଷା ପାଇଁ ଆନ୍ଦୋଳନ କରିବା ଉଦ୍ଦେଶ୍ୟରେ ଆଜି ପାଟନା କଲେଜରୁ ଏକ ଏହି ବିଶାଳ ଶୋଭାଯାତ୍ରା ବାହାରିଥିଲା | ଯେଉଁଥିରେ ହଜାର ହଜାର ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ | ସେମାନେ ବିହାର ସରକାର ଓ ବିହାର ଲୋକସେବା ଆୟୋଗ (ବିପିଏସସି) ବିରୋଧରେ ସ୍ଲୋଗାନ ଦେଇଥିଲେ । ପରୀକ୍ଷାର୍ଥୀ ମାନେ ଛାତ୍ର ନେତା ଦିଲୀପଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଯିବାକୁ ଉଦ୍ୟତ ହେଉଥିବା ବେଳେ ଜେପି ଗୋଲମ୍ବର ନିକଟରେ ପୋଲିସ ସେମାନଙ୍କୁ ଅଟକାଇଥିଲା ।
ପ୍ରାର୍ଥୀମାନେ ବାରିକେଡ୍ ଭାଙ୍ଗି ଆଗକୁ ବଢ଼ିବାକୁ ଚେଷ୍ଟା କରିବାରୁ ପୋଲିସ ସେମାନଙ୍କୁ ଅଟକାଇବା ପାଇଁ ଶେଷରେ ଲାଠିଚାର୍ଜ କରିଥିଲା, ଯାହା ଫଳରେ ଅନେକ ଆନ୍ଦୋଳନକାରୀ ଗୁରୁତର ଭାବେ ଆହତ ହୋଇଛନ୍ତି ।
ତେବେ ପ୍ରାର୍ଥୀମାନେ ଅଭିଯୋଗ କରିଛନ୍ତିଯେ, ସରକାର ନିଯୁକ୍ତି ପ୍ରକ୍ରିୟାକୁ ଜାଣିଶୁଣି ବିଳମ୍ବ କରାଯାଇଛି | ଆଉ ଏହା ଲକ୍ଷ ଲକ୍ଷ ଆଶାୟୀ ଶିକ୍ଷକଙ୍କ ଭବିଷ୍ୟତ ଅନ୍ଧକାରମୟ ଆଡକୁ ଠେଲିଦେଉଛି । ଆହୁରି ଦାବି କରିଛନ୍ତିଯେ, ଦୀର୍ଘ ଦିନରୁ ଶିକ୍ଷକ ନିଯୁକ୍ତି ପରୀକ୍ଷା ବିଜ୍ଞପ୍ତି ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉ ନାହିଁ । ଏଥିସହ ବିପିଏସସି ଦ୍ୱାରା ଲାଗୁ ହୋଇଥିବା କିଛି ନୂଆ ନିୟମକୁ ମଧ୍ୟ ଛାତ୍ରମାନେ ତୀବ୍ର ବିରୋଧ କରିଛନ୍ତି ।
ତେବେ ଏହି ବିଶାଳ ଶୋଭାଯାତ୍ରା ସମୟରେ ପୋଲିସ ଓ ଛାତ୍ରଙ୍କ ମଧ୍ୟରେ ଠେଲାପେଲା ଯୋଗୁଁ ସମଗ୍ର ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଉତ୍ତେଜନାକୁ ଦୁଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଯାଇଥିବା ସମସ୍ତ ରାସ୍ତାକୁ ସିଲ୍ କରାଯାଇଛି | ଏହାସହ ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।

