ସୋମନାଥ ମନ୍ଦିରର ଅମୃତ ମହୋତ୍ସବ’ରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦୀ ; ‘ବିଶେଷ ମହାପୂଜା’ ସହ ମନ୍ଦିର ଶିଖରରେ କଲେ ‘ଧ୍ୱଜାରୋହଣ’
ଗୁଜୁରାଟ, ୧୧।୫: ଭାରତର ପ୍ରଥମ ଜ୍ୟୋତିର୍ଲିଙ୍ଗ ଶ୍ରୀ ସୋମନାଥ ମନ୍ଦିରର ପୁନଃନିର୍ମାଣ ପରେ ଏହାର ଉଦଘାଟନକୁ ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ‘ସୋମନାଥ ଅମୃତ ମହୋତ୍ସବ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଛନ୍ତି | ପ୍ରଧାନମନ୍ତ୍ରୀ ମୋଦୀ ସୋମନାଥ ମନ୍ଦିରରେ ପହଞ୍ଚି ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରି ପ୍ରଭୁ ଶିବଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହି ଭବ୍ୟ ସମାରୋହ ପାଇଁ ଦେଶର ବିଭିନ୍ନ ୧୧ଟି ପବିତ୍ର ତୀର୍ଥସ୍ଥାନରୁ ଅଣାଯାଇଥିବା ଜଳରେ ପ୍ରଭୁ ସୋମନାଥଙ୍କ ‘କୁମ୍ଭାଭିଷେକ’ କରାଯାଇଥିଲା। ମନ୍ଦିର ପରିସରରେ ‘ବିଶେଷ ମହାପୂଜା’ ସହ ମନ୍ଦିର ଶିଖରରେ ‘ଧ୍ୱଜାରୋହଣ’ କରିଥିଲେ ପ୍ରଧାନମନ୍ତ୍ରୀ । ବେଦପାଠ ଓ ମନ୍ତ୍ରୋଚ୍ଚାରଣରେ ସମଗ୍ର ମନ୍ଦିର ପରିବେଶ ଭକ୍ତିମୟ ହୋଇଯାଇଥିଲା ।
ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଏକ ବିଶାଳ ରୋଡ୍ ସୋ’ର ଆୟୋଜନ ହୋଇଥିଲା | ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ହର୍ଷ ସାଙ୍ଘଭୀଙ୍କ ଉପସ୍ଥିତିରେ ହୋଇଥିବା ଏହି ରୋଡ୍ ସୋ’ରେ ପ୍ରଧାନମନ୍ତ୍ରୀଙ୍କୁ ହଜାର ହଜାର ଶ୍ରଦ୍ଧାଳୁ ସ୍ୱାଗତ କରିଥିଲେ । ରାସ୍ତାର ଦୁଇ ପାର୍ଶ୍ୱରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଅମୃତ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଗୁଜୁରାଟ ଲୋକକଳା ମହାସଂଘ ପକ୍ଷରୁ ପ୍ରାୟ ୨୨୦ରୁ ଅଧିକ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି । ପୋରବନ୍ଦର ସମେତ ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରମାନେ ନିଜର ପାରମ୍ପରିକ ନୃତ୍ୟ ଓ କଳା ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି।
ଏହି ଐତିହାସିକ ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ୱତନ୍ତ୍ର ସ୍ମାରକୀ ଡାକ ଟିକଟ ଏବଂ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦ୍ୱାରା ଏହି ମନ୍ଦିରର ପୁନଃନିର୍ମାଣ ପରେ ଆଜି ୭୫ ବର୍ଷ ଗୌରବର ସହ ପାଳନ କରାଯାଉଛି । ସୋମନାଥ ଅମୃତ ମହୋତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଗସ୍ତକୁ ନେଇ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

