ନିଟ୍ (UG) ୨୦୨୬ ପରୀକ୍ଷା ବାତିଲ! ପୁଣି ଥରେ ହେବ ପରୀକ୍ଷା
ନୂଆଦିଲ୍ଲୀ, ୧୨ | ୫ : ଦେଶର ସର୍ବବୃହତ ଡାକ୍ତରୀ ପ୍ରବେଶିକା ପରୀକ୍ଷା, ଏନଇଇଟି ୟୁଜି-୨୦୨୬ କୁ ନେଇ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଜାତୀୟ ପରୀକ୍ଷା ଏଜେନ୍ସି (NTA) ବା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ମେ ୩ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାକୁ ବାତିଲ କରାଯାଇଛି । ଏହା ବ୍ୟତୀତ ଭାରତ ସରକାର ଏହି ଘଟଣା ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକର ତଦନ୍ତକୁ ସହଜ କରିବା ପାଇଁ ପେପର ଲିକ୍ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନଟିଏ ଘୋଷଣା କରିଛି ଯେ, ଖୁବ୍ ଶୀଘ୍ର ପରୀକ୍ଷାର ନୂତନ ତାରିଖ ଘୋଷଣା କରାଯିବ| ୧୦ ଲକ୍ଷରୁ ଅଧିକ ଛାତ୍ରୀଛାତ୍ରଙ୍କୁ ଏବେ ପୁଣିଥରେ ପରୀକ୍ଷା ଦେବାକୁ ପଡିବ। ଏହି ନିଷ୍ପତ୍ତି ପରେ, ପରୀକ୍ଷାର୍ଥୀ ଏବଂ ସେମାନଙ୍କ ଅଭିଭାବକ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି |
ତେବେ ଏନଟିଏ ଅନୁଯାୟୀ, ଏହି ନୂତନ ତାରିଖରେ ପରୀକ୍ଷା ଦେବା ପାଇଁ ପ୍ରାର୍ଥୀମାନଙ୍କୁ ନୂତନ ଆବେଦନ କିମ୍ବା କୌଣସି ପ୍ରକାର ଅତିରିକ୍ତ ପରୀକ୍ଷା ଫି ଦେବାକୁ ପଡିବ ନାହିଁ। ପରୀକ୍ଷାର୍ଥୀଙ୍କ ପକ୍ଷରୁ ପୂର୍ବରୁ ଦେଇଥିବା ଫିକୁ ମଧ୍ୟ ଫେରସ୍ତ କରାଯିବ। ସଂଶୋଧିତ କାର୍ଯ୍ୟସୂଚୀ ଘୋଷଣା ପରେ, ନୂତନ ପ୍ରବେଶ ପତ୍ର ଜାରି କରାଯିବ। ଏହା ବ୍ୟତୀତ, ନୂତନ ତାରିଖରେ ହେବାକୁ ଥିବା ପରୀକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ବୋଲି ଏନଟିଏ ପକ୍ଷରୁ କୁହାଯାଇଛି | ଏହା ପୂର୍ବରୁ, ପେପର ଲିକ୍ ମାମଲାର ତଦନ୍ତ ସମାପ୍ତ ହେବ ଏବଂ ସାମିଲ ଥିବା ଦୋଷୀମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ କରାଯିବ | ତେବେ ଏହି ପେପର ଲିକ୍ ମାମଲାରେ ରାଜସ୍ଥାନ ପୁଲିସ ପକ୍ଷରୁ ସ୍ପେଶାଲ୍ ଅପରେସନ୍ସ ଗ୍ରୁପ୍ (SOG) ଏପର୍ଯ୍ୟନ୍ତ ୪୫ ରୁ ଅଧିକ ଲୋକଙ୍କୁ ଗିରଫ କରିଛି । ଏହି ମାମଲା ସହିତ ଜଡିତ ବିଭିନ୍ନ ରାଜ୍ୟରେ ଚଢାଉ ଏବଂ ପଚରାଉଚରା ଜାରି ରହିଛି। ଗତକାଲି ସୁଦ୍ଧା ଏହି ମାମଲାରେ ୧୩ ଜଣଙ୍କୁ ଅଟକ ରଖାଯାଇଛି। ଏହାସହ ୩୦ ହଜାର ଟଙ୍କାରେ ହ୍ୱାଟ୍ସଆପ ଜରିଆରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି। ସୂଚନା ଅନୁସାରେ ସମୁଦାୟ ୧୨୦ଟି ପ୍ରଶ୍ନପତ୍ର ଲିକ୍ ହୋଇଥିଲା ।

