ଘର ପାଣିଟାଙ୍କି ଭିତରେ ସାପ!
ରାଜସ୍ଥାନ, ୧୨ | ୫ : କଣ ଆପଣଙ୍କ ଘରେ ପାଣି ଟାଙ୍କି ଅଛି କି? ଏହାକୁ ସଫା କରୁଛନ୍ତି ତ ? ଯଦି ସଫା କରୁ ନାହାନ୍ତି , ତେବେ ଆପଣ ବେଳେବେଳେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ | ଆଜି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଖବର ବିଷୟରେ ଆମେ କହିବାକୁ ଯାଉଛୁ ଯାହା ଶୁଣିଲେ ଆପଣ ଚମକି ଯିବେ ନିଶ୍ଚୟ | କୋଟା ସହରର ଏକ ଘରେ ଥିବା ପାଣି ଟାଙ୍କିରେ ୧୧ ଟି ସାପ ମିଳିଛି । ଏହି ସମସ୍ତ ସାପ ଜଳଚର ଥିଲେ କିନ୍ତୁ ବିଷାକ୍ତ ନଥିଲେ | ମାତ୍ର ସେହି ସାପ ଗୁଡିକ କାମୁଡ଼ିବା ଫଳରେ ସଂକ୍ରମଣର କାରଣ ହୋଇପାରେ, ଯାହା ଜୀବନ ପାଇଁ ବିପଦପୂର୍ଣ୍ଣ ହୋଇପାରେ।
ପାଣି ଟାଙ୍କି ଭିତରୁ ୧୧ଟା ସାପ ବାହାରିବା ଘଟଣା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି | ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ରାଜସ୍ଥାନ କୋଟା ଅମ୍ବାଲି ଅଞ୍ଚଳରେ | ସୂଚନା ଅନୁସାରେ, ଘର ଭିତରେ ଥିବା ୮ ଫୁଟ ଗଭୀର ଟାଙ୍କିକୁ ସଫା କରିବା ସମୟରେ ଏହି ଟାଙ୍କି ଭିତରେ ସାପ ରହିଥିବାର ଜଣାପଡିଥିଲା | ଏହାପରେ ସ୍ନେକ ରେସକ୍ୟୁ ଟିମ୍ କୁ ଖବର ଦିଆଯାଇଥିଲା | ଖବର ପାଇ ଘଟଣା ସ୍ଥଳରେ ରେସକ୍ୟୁ ଟିମ୍ ପହଞ୍ଚି ସାପ ଗୁଡିକୁ ଧରିଥିଲା । ରେସକ୍ୟୁ ଟିମର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ , ଘରେ ଥିବା ପାଣି ଟାଙ୍କି ବହୁତ ଦିନରୁ ସଫା ହୋଇନଥିଲା । ସୋମବାର ସକାଳେ ପରିବାର ଲୋକେ ଟାଙ୍କି ଖାଲି କରି ସଫା କରୁଥିବା ବେଳେ ସାପ ଗୁଡିକ ଟାଙ୍କି ଭିତରେ ଥିବାର ଦେଖିବାକୁ ପାଇଥିଲେ । ଏହାପରେ ସାପ ଗୁଡିକୁ ବାହାର କରାଯାଇଥିଲା । ରେସକ୍ୟୁ ଟିମର ପ୍ରାୟ ୨୦ ମିନିଟର ଉଦ୍ୟମ ପରେ ୧୧ ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ସାପଗୁଡିକର ଲମ୍ବ ୧ ଫୁଟ ରହିଥିଲା | ତେବେ ଟାଙ୍କିରୁ ସାପକୁ ଉଦ୍ଧାର କରାଯିବା ପରେ ରେସକ୍ୟୁ ଟିମ ଦ୍ୱାରା ପରେ ଚମ୍ବଲ ନଦୀ କୂଳରେ ଛାଡି ଦିଆଯାଇଥିଲା ।

