ଉତ୍ତରପ୍ରଦେଶରେ କାଳବୈଶାଖୀ ପ୍ରଭାବରୁ ୬୦ ଜଣଙ୍କ ମୃତ୍ୟୁ! ପ୍ରଭାବିତ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ
ଉତ୍ତରପ୍ରଦେଶ,୧୪।୫ ଉତ୍ତରପ୍ରଦେଶରେ କାଳବୈଶାଖୀ ପ୍ରଭାବରେ ୬୦ ଜଣଙ୍କର ଜୀବନ ଯାଇଛି। ଗତକାଲି ପ୍ରବଳ ଝଡ଼, ବର୍ଷା ଯୋଗୁ ୬୦ ଜଣ ଲୋକଙ୍କ ଜୀବନ ଯାଇଛି । ଉତ୍ତର ପ୍ରଦେଶର ପ୍ରୟାଗରାଜ, ପ୍ରତାପଗଡ଼, ଭଦୋହି, ଫତେହପୁର, ଉନ୍ନାଓ, କାନପୁର ଦେହାତ, ଚନ୍ଦୌଲି, ସୋନଭଦ୍ର ଓ ବଦୌନ ସମେତ ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ।
ସୂଚନା ଅନୁସାରେ,ପ୍ରୟାଗରାଜ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଘର ଭାଙ୍ଗି୧୭ ଜଣଙ୍କର ଜୀବନ ଯାଇଛି। ଭଦୋହି ଜିଲ୍ଲାରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଫତେହପୁରରେ ୯ ଜଣଙ୍କର ଜୀବନ ଯାଇଛି। ସେହିପରି ଉନ୍ନାଓରେ ୪ ଜଣ, କାନପୁର ଦେହାତରେ ୩ ଜଣ, ବଦୌନରେ ୫ ଜଣ, ଚନ୍ଦୌଲିରେ ୨ ଜଣ, ସୋନଭଦ୍ରରେ ଜଣଙ୍କ ସମେତ ମୋଟ ୬୦ ଜଣଙ୍କ ଜୀବନ ଯାଇଛି ।
ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟାର କୌଣସି ତଥ୍ୟ ପ୍ରକାଶ କରାଯାଇ ନାହିଁ। ତଥ୍ୟ ସଂଗ୍ରହ ପ୍ରକ୍ରିୟା ପାଇଁ ସରକାର ନିର୍ଦେଶ ଦେଇଥିବା ବେଳେ ଏଥିରେ ପ୍ରଭାବିତ ପରିବାରକୁ ତୁରନ୍ତ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ଏହାସହ ୨୪ ଘଣ୍ଟା ମଧ୍ୟରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇଦେବାକୁ ସେ ଆଦେଶ ଦେଇଛନ୍ତି ।

