ଭାରତର କେଉଁ ରାଜ୍ୟରେ ସର୍ବାଧିକ ପେଟ୍ରୋଲ ବ୍ୟବହାର କରେ? ଜାଣନ୍ତୁ ତାଲିକାର ପ୍ରଥମରେ କେଉଁ ରାଜ୍ୟ …
ନୂଆଦିଲ୍ଲୀ,୧୩।୫: ବିଶ୍ୱ ସ୍ତରରେ ଇନ୍ଧନକୁ ନେଇ ଏବେ ଏକ ବଡ ସମସ୍ୟା ସୃଷ୍ଟି ହୋଇଛି | ଦେଶର ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ସମ୍ବଳର ସଞ୍ଚୟ କରିବାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅପିଲ ପରେ ଏବେ ଏହି ଆଲୋଚନା ଆହୁରି ଜୋର ଧରିଛି | ପେଟ୍ରୋଲ ଏବଂ ଡିଜେଲକୁ ନେଇ ଚିନ୍ତାରେ ପଡି ଯାଇଛନ୍ତି ସାଧାରଣ ଲୋକେ | କିନ୍ତୁ ଏହା ମଧ୍ୟରେ ଆମ ଦେଶର ତୈଳ ଭଣ୍ଡାରର ପରିମାଣ ଏବଂ ସର୍ବାଧିକ ପରିମାଣରେ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର କରୁଥିବା ରାଜ୍ୟ ବିଷୟରେ ଜାଣିବାକୁ ଆପଣ ନିଶ୍ଚୟ ଆଗ୍ରହ ପ୍ରକାଶ କରୁଥିବେ | ତେବେ ଆସନ୍ତୁ ଜାଣିବା କେଉଁ ରାଜ୍ୟ ସବୁଠାରୁ ଅଧିକ ପରିମାଣରେ ପେଟ୍ରୋଲ କିମ୍ବା ଡିଜେଲର ବ୍ୟବହାର କରେ |
ରିପୋର୍ଟ ମୁତାବକ , ଭାରତରେ ବର୍ତ୍ତମାନ ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ (SPR) ମଧ୍ୟରେ ପ୍ରାୟ ୯ ରୁ ୧୨ ଦିନର ଅଶୋଧିତ ତେଲ ରଖିଛି। ଏହା ସହିତ, ତୈଳ ବିକ୍ରି କରୁଥିବା କମ୍ପାନୀଗୁଡ଼ିକ ପ୍ରାୟ ୬୦ ରୁ ୬୫ ଦିନର ବ୍ୟବହାର ପାଇଁ ଷ୍ଟକ ରଖିଥାନ୍ତି । ତେବେ ଏହି ଭଣ୍ଡାରଗୁଡ଼ିକୁ ବୃଦ୍ଧି କରିବା ପାଇଁ ସରକାର ବର୍ତ୍ତମାନ ନୂତନ ଭୂତଳ ସଂରକ୍ଷଣ ଟ୍ୟାଙ୍କ ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଉଛନ୍ତି |
ସୂଚନା ଅନୁସାରେ , ବୃହତ୍ତ ଶିଳ୍ପାନୁଷ୍ଠାନ ଏବଂ ବିପୁଳ ଯାନବାହନ ଜନସଂଖ୍ୟା ଦ୍ୱାରା ଚାଳିତ, ମହାରାଷ୍ଟ୍ର ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ପାଇଁ ଦେଶରେ ପ୍ରଥମ ସ୍ଥାନ ଅଧିକାର କରି ଚାଲିଛି। ଏହି ସମୟରେ, ଉତ୍ତର ପ୍ରଦେଶ (UP) ରହିଛି ଦ୍ୱିତୀୟ ସ୍ଥାନରେ |ଏହାର ବିପୁଳ ଜନସଂଖ୍ୟା ଏବଂ ଏହାର କୃଷି କ୍ଷେତ୍ର ମଧ୍ୟରେ ଡିଜେଲର ଅପାର ଚାହିଦା ଯୋଗୁଁ ଏହା ଦ୍ଵିତୀୟ ସର୍ବାଧିକ ଇନ୍ଧନ ବ୍ୟବହାର କରୁଥିବା ରାଜ୍ୟ ବନିଛି |
ସେହିପରି ହରିଆଣା, ପଞ୍ଜାବ ଏବଂ ଗୁଜରାଟ ଭଳି ରାଜ୍ୟରେ ଡିଜେଲ ମଧ୍ୟ ଅଧିକ ମାତ୍ରାରେ ବ୍ୟବହାର ହେଉଛି । କାରଣ ପଞ୍ଜାବ ଏବଂ ହରିୟାଣାରେ କୃଷି କାର୍ଯ୍ୟକଳାପରେ ଟ୍ରାକ୍ଟର ଏବଂ ପମ୍ପର ଅଧିକ ମାତ୍ରାରେ ବ୍ୟବହାର ହୋଇଥାଏ | ସେହିପରି ଗୁଜରାଟରେ ଶିଳ୍ପ ଟ୍ରକ ପରିବହନ। ତେବେ ଏହି ଅଞ୍ଚଳଗୁଡ଼ିକରେ ଇନ୍ଧନର ସାମାନ୍ୟ ଅଭାବ ରାଜ୍ୟର ଅର୍ଥନୀତି ଉପରେ ବଡ ପ୍ରଭାବ ପକାଇପାରେ |
ଏପଟେ ପ୍ରଧାନମନ୍ତ୍ରୀ ଭାରତୀୟବାସୀଙ୍କୁ ବିଦେଶ ଯାତ୍ରା , ପେଟ୍ରୋଲ ଆଦି ସଞ୍ଚୟ କରିବାକୁ ଅପିଲ କରିଛନ୍ତି | ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ଆର୍ଥିକ ସୁରକ୍ଷା ଏବଂ ବୈଦେଶିକ ମୁଦ୍ରା ଭଣ୍ଡାରକୁ ମଜବୁତ କରିବା | ଯୁଦ୍ଧ ଭଳି ସଙ୍କଟ ସମୟରେ ଦେଶର ଅର୍ଥନୀତିକୁ ମଜଭୁତ କରିବାକୁ ମୋଦୀ ଏହି ଅପିଲ କରିଛନ୍ତି ।
ତେବେ ସରକାର ତୈଳ ଆମଦାନୀ ହ୍ରାସ କରିବା ପାଇଁ ପେଟ୍ରୋଲରେ ୨୦% ଇଥାନଲ ମିଶ୍ରଣ କରିବାକୁ ପୂର୍ବରୁ ଘୋଷଣା କରିଥିଲେ | ଏନେଇ ପ୍ରସ୍ତୁତି ଜାରି ରହିଛି | ଏହାମଧ୍ୟରେ ବୈଦ୍ୟୁତିକ ଯାନ (EV) ଏବଂ ସଂକୁଚିତ ପ୍ରାକୃତିକ ଗ୍ୟାସ (CNG) ଚାହିଦାରେ ୩୦% ପର୍ଯ୍ୟନ୍ତ ବୃଦ୍ଧି ଘଟିଛି।
ଅନ୍ୟପଟେ ପେଟ୍ରୋଲିୟମ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ବର୍ତ୍ତମାନ ପାଇଁ, ଦେଶରେ ଇନ୍ଧନକୁ ନେଇ କୌଣସି ସମସ୍ୟା ହୋଇନାହିଁ | ଜନସାଧାରଣଙ୍କୁ ଭୟଭୀତ ହୋଇ ଡ୍ରମରେ ଇନ୍ଧନ କିଣିବା ଏବଂ ଜମା କରିବା କରିବାକୁ ବାରଣ କରାଯାଇଛି | କାରଣ ଏପରି କାର୍ଯ୍ୟ ଯୋଗାଣ ଶୃଙ୍ଖଳା ଉପରେ ପ୍ରଭାବ ପକାଇପାରେ | ତେଣୁ ସମସ୍ତ ପେଟ୍ରୋଲ ପମ୍ପରେ ସୁଗମ ଯୋଗାଣ ସୁନିଶ୍ଚିତ କରିବା ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି।

