ଭାରତରେ ଲିଟର ପିଛା ୩ଟଙ୍କା ଦରକୁ ନେଇ ଚିନ୍ତାରେ ଲୋକେ, ପାକିସ୍ତାନରେ ପେଟ୍ରୋଲ ଲିଟର ପିଛା ୪୧୪ ଟଙ୍କା!
ଭୁବନେଶ୍ୱର, ୧୫|୫ : ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଏବେ ଇନ୍ଧନ ଉପରେ ପଡିଛି ବଡ ପ୍ରଭାବ | ଭାରତରେ ମଧ୍ୟ ଏହାର ଗୁରୁତର ପ୍ରଭାବ ପଡିଛି | ପ୍ରଧାନମନ୍ତ୍ରୀଙ୍କ ଇନ୍ଧନ ସଞ୍ଚୟ କରିବା ନେଇ ଦେଶବାସୀଙ୍କ ଅପିଲ ପରେ ଏହାର ପ୍ରଭାବ ବେଶି ମାତ୍ରାରେ ଦେଖିବାକୁ ମିଳିଛି | ତେବେ ଭାରତରେ ପେଟ୍ରୋଲ ଦର ପ୍ରତି ଲିଟରକୁ ୩ ଟଙ୍କା ବୃଦ୍ଧି ପାଇବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଏବେ ଚିନ୍ତା ଏବଂ ଅସନ୍ତୋଷ ଦେଖାଦେଇଛି। ଅନେକ ଲୋକ ବଢୁଥିବା ଇନ୍ଧନ ଦରକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ପେଟ୍ରୋଲ ଏବଂ ଡିଜେଲକୁ ନେଇ ଗୁଜବ ପ୍ରସାରିତ ହେବା ପରେ ଲୋକ ଘଣ୍ଟା ଘଣ୍ଟା ଧରି ପେଟ୍ରୋଲ ପମ୍ପ ଆଗରେ ଲମ୍ବା ଲାଇନରେ ଛିଡା ହୋଇଥିବାର ଦେଖିବାକୁ ମିଳିଛି | ଦର ବୃଦ୍ଧି ହେତୁ ଲୋକ ଆଗୁଆ ସାଇତି ରଖିବା ପାଇଁ ଲମ୍ବା ଲାଇନ ଲଗାଉଛନ୍ତି | କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି ଯେ, ଭାରତରେ ଏବେ ପେଟ୍ରୋଲ ଏବଂ ଡିଜେଲର ଦରକୁ ନେଇ ଲୋକ ବ୍ୟସ୍ତ ବିବ୍ରତ ହେଉଛନ୍ତି | କିନ୍ତୁ ପଡୋଶୀ ଦେଶ ପାକିସ୍ତାନ ସହିତ ତୁଳନା କଲେ ସ୍ଥିତି ସେଠାରେ ଭାରତଠୁ ଅଧିକ ଗମ୍ଭୀର ରହିଛି | ପାକିସ୍ତାନରେ ପେଟ୍ରୋଲ ଦର ଭାରତୀୟ ମୁଦ୍ରା ଅନୁସାରେ ଲିଟର ପିଛା ପ୍ରାୟ ୪୧୪ ଟଙ୍କା ରହିଛି |
ଭାରତର ପ୍ରମୁଖ ସହରଗୁଡିକରେ ବର୍ତ୍ତମାନ ପେଟ୍ରୋଲ ଦର ୯୭ରୁ ୧୦୫ ଟଙ୍କା ମଧ୍ୟରେ ରହିଛି। ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ପାଇବା ପରେ ଏହି ନୂତନ ଦର ଲାଗୁ କରାଯାଇଛି। ଏହାର ପ୍ରଭାବ ସାଧାରଣ ଯାତ୍ରୀ, ପରିବହନ ସଂସ୍ଥା ଏବଂ ଛୋଟ ବ୍ୟବସାୟ ଉପରେ ପଡିଛି।
ଏପଟେ ସୋସିଆଲ ମିଡିଆରେ ମଧ୍ୟ ଏହି ଦର ବୃଦ୍ଧିକୁ ନେଇ ବ୍ୟାପକ ଚର୍ଚ୍ଚା ଚାଲିଛି। କିନ୍ତୁ ଅର୍ଥନୀତି ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ପଡୋଶୀ ଦେଶଗୁଡିକ ଗୁଡିକ ଅପେକ୍ଷା ଭାରତର ଇନ୍ଧନ ଦର ଏପର୍ଯ୍ୟନ୍ତ ନିୟନ୍ତ୍ରଣ ଭିତରେ ରହିଛି।
ପଡୋଶୀ ରାଷ୍ଟ୍ର ପାକିସ୍ତାନ ବର୍ତ୍ତମାନ ଗଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ସେଠାରେ ମୁଦ୍ରା ମୂଲ୍ୟହ୍ରାସ, ଆମଦାନି ଉପରେ ଅଧିକ ନିର୍ଭରଶୀଳତା ଏବଂ IMF ର ଶର୍ତ୍ତ ଯୋଗୁଁ ପେଟ୍ରୋଲ ଦର ଅସାମାନ୍ୟ ଭାବେ ବୃଦ୍ଧି ପାଇଛି । ଖବର ଅନୁସାରେ, ସେଠାରେ ପେଟ୍ରୋଲ ଦର ଲିଟର ପ୍ରତି ୪୫୦କୁ ଅତିକ୍ରମ କରିଛି, ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୪୧୪ ଟଙ୍କା ସହିତ ସମାନ।
ଏବେ ଏହି ତୁଳନାକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ମତ ଆସୁଛି। କେହି କହୁଛନ୍ତି ଯେ, ଭାରତରେ ଲିଟର ପିଛା ୩ ଟଙ୍କା ଦର ବୃଦ୍ଧିକୁ ନେଇ ଲୋକ ଚିନ୍ତିତ ରହି ଥିବାବେଳେ, ପାକିସ୍ତାନରେ ଲୋକମାନେ ଉଚ୍ଚ ମୂଲ୍ୟର ଭାରୀ ଇନ୍ଧନ ଦରର ସମ୍ମୁଖୀନ ହେଉଛନ୍ତି।
ସେପଟେ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ , ଭାରତର ବିଦେଶ ମୁଦ୍ରା ଭଣ୍ଡାର ଶକ୍ତିଶାଳୀ ଥିବା ବେଳେ ସରକାରଙ୍କ ନିୟନ୍ତ୍ରଣ ନୀତି ଯୋଗୁଁ ଦରକୁ ନିୟନ୍ତ୍ରଣ କରାଯାଇଛି । ଅନ୍ୟପଟେ ପାକିସ୍ତାନ ମହଙ୍ଗାଇ, ଋଣ ଚାପ ଏବଂ ବଢୁଥିବା ଆମଦାନି ଖର୍ଚ୍ଚ ସହିତ ସଂଘର୍ଷ କରୁଛି।

