Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ବଶୁର ଘରେ ଜ୍ଵାଇଁକୁ ନିସ୍ତୁକ ମାଡ଼! ଗୁରୁତର ଅବସ୍ଥାରେ ଜ୍ୱାଇଁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର

ପଟ୍ଟାମୁଣ୍ଡାଇ, ୧୯।୫: କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ଧପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜ୍ବାଇଁର ଗୋଡ ହାତ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି ଶ୍ୱଶୁର ଘର ଲୋକ । ଏହି ଘଟଣା ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅଭିଯୋଗ ଅନୁସାରେ, ପୀଡ଼ିତ ଜ୍ୱାଇଁ ସୁଦର୍ଶନଙ୍କୁ ଗାଁ ଦାଣ୍ଡରେ ବାନ୍ଧି ରଖି ଅତ୍ୟନ୍ତ ନିର୍ମମ ଭାବେ ଆକ୍ରମଣ କରାଯାଇଥିଲା ।

ତେବେ ଏହି ଆକ୍ରମଣରେ ଜ୍ଵାଇଁ ସୁଦର୍ଶନ ଗୁରୁତର ଭାବେ ଆହତ ହୋଇଥିଲେ।  ସ୍ତ୍ରୀ ପ୍ରଥମେ ପଟ୍ଟାମୁଣ୍ଡାଇ ହସ୍ପିଟାଲକୁ ନେଇଥିଲେ ପରେ ଅବସ୍ଥା ଆହୁରି ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ନେଇଛନ୍ତି।

ଅପରପକ୍ଷରେ ସୁଦର୍ଶନଙ୍କ ଭଉଣୀ କଣ୍ଢେଇ ସେଠୀ ଏହି ଘଟଣା ସମ୍ପର୍କରେ ପଟ୍ଟାମୁଣ୍ଡାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବର ପାଇ ପଟ୍ଟାମୁଣ୍ଡାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି  ଘଟଣାର ତଦନ୍ତ କରିଛି।

ପୁଲିସ ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ସେକପୁର ଗ୍ରାମର ବନ୍ଧସାହି ଗ୍ରାମର ଭରତ ସେଠୀଙ୍କ ଝିଅ ପୂର୍ଣ୍ଣିମା ସେଠୀ ଗତ ୩ ବର୍ଷ ତଳେ ମହାକାଳପଡ଼ା ଥାନା ଅନ୍ତର୍ଗତ ଅଳାଇଲେ ଗ୍ରାମର ସୁଦର୍ଶନ ସେଠୀଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର ବର୍ଷେ ପରେ ଦୁହିଁଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ସ୍ବାମୀ ସ୍ତ୍ରୀଙ୍କ ଭିତରେ ଗଣ୍ଡଗୋଳ ହେବାରୁ ପୂର୍ଣ୍ଣିମା ନିଜ ଗ୍ରାମ ସେକପୁର-ବନ୍ଧସାହିକୁ ଆସିଥିଲା।

ଏହାପରେ ଗତକାଲି ସୁଦର୍ଶନ ନିଜ ସ୍ତ୍ରୀକୁ ଭେଟିବାକୁ ଶଶୁରଘରକୁ ଯାଇଥିଲେ। ତାଙ୍କ ସହିତ ଆଉ ୨ ଜଣ ଯୁବକ ମଧ୍ୟ ଆସିଥିଲେ। ପୂର୍ଣ୍ଣିମାଙ୍କ ପରିବାର ଲୋକ କହିଛନ୍ତି ଯେ, ସୁଦର୍ଶନ ଅତ୍ୟଧିକ ମଦ ପିଇ ଶ୍ବଶୁର ଘରେ ଗଣ୍ଡଗୋଳ କରିଥିଲା। ଗଣ୍ଡଗୋଳ କରିବା ପରେ ଶ୍ବଶୁର ଘର ଲୋକ ଓ ପଡ଼ୋଶୀମାନେ ତାଙ୍କୁ ବାନ୍ଧି ପକେଇ ମାଡ଼ ମାରିଥିଲେ। କିନ୍ତୁ ପରେ ଜଣାପଡ଼ିଲା ଯେ, ସେ ମଦ ସହିତ କନିଆରୀ ମଞ୍ଜି ଖାଇଥିବା କଥା କହିବା ପରେ ସ୍ତ୍ରୀ ତାକୁ ପଟ୍ଟାମୁଣ୍ଡାଇ ମେଡିକାଲକୁ ଆଣିଥିଲା। ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପଟେ ସୁଦର୍ଶନଙ୍କ ଭଉଣୀ ତାଙ୍କୁ ବାନ୍ଧି ମାଡ଼ ମାରିଥିବା ଅଭିଯୋଗ କରି ପଟ୍ଟାମୁଣ୍ଡାଇ ଥାନାରେ ମାମଲା ଦାୟର କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ