Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଢିଲା ପେଟ୍ରୋଲ-ଡିଜେଲ ଦର! ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ବୃଦ୍ଧି ପାଇଛି

ଭୁବନେଶ୍ୱର,୧୯।୫: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ବା କ୍ରୁଡ୍ ଅଏଲ୍ ଦରରେ ଦେଖା ଦେଇଥିବା ଅସ୍ଥିରତା ଏବଂ ମଧ୍ୟ-ପ୍ରାଚ୍ୟରେ ବଢ଼ୁଥିବା ସାମରିକ ଉତ୍ତେଜନାର ପ୍ରଭାବ ଏବେ ସିଧାସଳଖ ଭାବେ ଦେଶର ସାଧାରଣ ଲୋକଙ୍କ ପକେଟ୍ ଉପରେ ପଡ଼ିଛି । ଆଜି ସକାଳୁ ଦେଶର ସରକାରୀ ତୈଳ କମ୍ପାନିଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲ ଦରରେ ଲିଟର ପିଛା ପ୍ରାୟ ୯୦ ପଇସା ବୃଦ୍ଧି କରିଛନ୍ତି । ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ଏହି ବୃଦ୍ଧି ଘଟିଛି । ଏହା ପୂର୍ବରୁ ଗତ ଶୁକ୍ରବାର ୧୫ ମଇ ଦିନ ହିଁ ତୈଳ କମ୍ପାନିଗୁଡ଼ିକ ପ୍ରାୟ ଲିଟର ପିଚ୍ଛା ୩ ଟଙ୍କା ବୃଦ୍ଧି କରିଥିଲେ ।

ଇନ୍ଧନ ବୃଦ୍ଧିକୁ ନେଇ ବଜାର ବିଶ୍ଳେଷକ ମାନେ କହିଛନ୍ତିଯେ, ବିଶ୍ୱସ୍ତରରେ ଜାରି ରହିଥିବା ରଣନୀତିକ ଏବଂ ସାମରିକ ଯୁଦ୍ଧର ପ୍ରଭାବ ତୈଳଦର ବୃଦ୍ଧିର ମୁଖ୍ୟ କାରଣ। ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ତିକ୍ତତା ଏବଂ ‘ହର୍ମୁଜ ପ୍ରଣାଳୀ’ ମାର୍ଗରେ ତୈଳ ଯୋଗାଣ ବାଧାପ୍ରାପ୍ତ ହେବାର ଆଶଙ୍କା ଯୋଗୁଁ ଆନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ ଦର ବ୍ୟାରେଲ ପିଛା ୧୦୦ ଡଲାର ପାର୍ କରିଛି । ଯେଉଁ କାରଣରୁ ଭାରତୀୟ ରିଫାଇନିଂ କମ୍ପାନିଗୁଡ଼ିକୁ ପ୍ରତିଦିନ ପ୍ରବଳ ଆର୍ଥିକ କ୍ଷତି ସହିବାକୁ ପଡ଼ୁଥିଲା। ଯଦିଓ ଗତ ସପ୍ତାହରେ ହୋଇଥିବା ୩ ଟଙ୍କାର ବୃଦ୍ଧି ଯୋଗୁଁ କମ୍ପାନିଗୁଡ଼ିକର କ୍ଷତି ପ୍ରାୟ ୨୫ ପ୍ରତିଶତ ହ୍ରାସ ପାଇଥିଲା, ତଥାପି ଉତ୍ପାଦନ ଖର୍ଚ୍ଚ ଏବଂ ବିକ୍ରି ମୂଲ୍ୟ ମଧ୍ୟରେ ଥିବା ବଡ଼ ବ୍ୟବଧାନକୁ ସନ୍ତୁଳିତ କରିବା ପାଇଁ କମ୍ପାନୀ ଗୁଡିକ ଏହି ମୂଲ୍ୟ ବୃଦ୍ଧି କରିଛନ୍ତି । ତେବେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ବିଶ୍ୱ ସଙ୍କଟ ଶୀଘ୍ର ଠିକ୍ ନହୁଏ, ତେବେ ଆଗାମୀ ଦିନରେ କିସ୍ତି ଅନୁସାରେ ଏଭଳି ଆହୁରି ମୂଲ୍ୟ ବୃଦ୍ଧି ଦେଖିବାକୁ ମିଳିପାରେ।

ସୂଚନା ଅନୁସାରେ,ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୯୭.୭୭ ଟଙ୍କାରୁ ବଢ଼ି ୯୮.୬୪ ଟଙ୍କାରେ ପହଞ୍ଚିଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ୧୦୫ ଟଙ୍କା ୨୫ପଇସା ରହିଛି , ଯାହା ଗତକାଲି ୧୦୪ ଟଙ୍କା.୭୫ ପଇସା ରହିଥିଲା । ସେହିପରି ଡିଜେଲ ଦରରେ ସାମାନ୍ୟ ବୃଦ୍ଧି ଘଟିଛି । ଲିଟର ପିଛା ୯୬ ଟଙ୍କା ୮୩ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଛି ଯାହା ଗତକାଲି ୯୬ ଟଙ୍କା ୧୧ ପଇସା ରହିଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ