କକ୍ରୋଚ୍ ଜନତା ପାର୍ଟି ଫାଉଣ୍ଡରଙ୍କ ଇନଷ୍ଟା ଆକାଉଣ୍ଟ୍ ହ୍ୟାକ୍! ଅଭିଜିତ କହିଲେ- ‘ମୋତେ ଟାର୍ଗେଟ କରାଯାଉଛି’
ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା କକ୍ରୋଚ୍ ଜନତା ପାର୍ଟି(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହୋଇଥିବା ଖବର ସାମ୍ନାକୁ ଆସିଛି। ରାତାରାତି ଲକ୍ଷାଧିକ ଫଲୋଅର୍ସ ବଢ଼ିବା ପରେ ସେ ଚର୍ଚ୍ଚାରେ ରହିଥିଲେ। ଏବେ ସେ ଦାବି କରିଛନ୍ତି ଯେ, ବାରମ୍ବାର ଚେଷ୍ଟା କରିଲେ ମଧ୍ୟ ସେ ନିଜ ଆକାଉଣ୍ଟକୁ ଆକ୍ସେସ କରିପାରୁନାହାନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ସେ କହିଛନ୍ତି ଯେ, ତାଙ୍କୁ ଜାଣିଶୁଣି ଟାର୍ଗେଟ କରାଯାଉଛି।
ଅଭିଜିତଙ୍କ କହିବା ଅନୁସାରେ, ବ୍ୟାକଅପ୍ ଆକାଉଣ୍ଟ ମଧ୍ୟ କିଛି ସମୟ ପାଇଁ ଅଚଳ ହୋଇଯାଇଥିଲା। ଯଦିଓ ପରେ ଏହାକୁ ପୁଣି ସକ୍ରିୟ କରାଯାଇଛି। ସେ ଅଭିଯୋଗ କରିଛନ୍ତି ଯେ, ହ୍ୟାକର୍ସମାନେ ତାଙ୍କ ମୁଖ୍ୟ ପେଜ୍କୁ ମଧ୍ୟ ହ୍ୟାକ୍ କରିବାକୁ ଚେଷ୍ଟା କରୁଛନ୍ତି। ମଜାରେ ଆରମ୍ଭ ହୋଇଥିବା କକ୍ରୋଚ୍ ଜନତା ପାର୍ଟି ଏବେ ଯୁବପୀଢ଼ୀଙ୍କ ମଧ୍ୟରେ ବହୁତ ଲୋକପ୍ରିୟ ହୋଇପାରିଛି। ସିଜେପିର ଇନଷ୍ଟାଗ୍ରାମ ଆକାଉଣ୍ଟରେ ୨୧ ମିଲିୟନରୁ ଅଧିକ ଫଲୋଅର୍ସ ଥିବାବେଳେ ଏହା ଅନେକ ବଡ଼ ରାଜନୈତିକ ଦଳକୁ ମଧ୍ୟ ପଛକୁ ପକାଇଦେଇଛି।
ସେପଟେ, ସିଜେପିକୁ ନେଇ ରାଜନୈତିକ ମହଳରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ବିଜେପି ପକ୍ଷରୁ ଏହାର ଫଲୋଅର୍ସ ଫେକ୍ ଓ ପାକିସ୍ତାନୀ ବୋଲି ସମାଲୋଚନା କରାଯାଉଥିବାବେଳେ ବିରୋଧୀ ଦଳର କିଛି ନେତା ଏହାକୁ ଫଲୋ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ସରକାର ବିରୋଧୀ ବିଭିନ୍ନ ଭିଡିଓ ଓ ପୋଷ୍ଟ ଯୋଗୁ ଏହା ଯୁବପୀଢ଼ୀଙ୍କ ମଧ୍ୟରେ ଭାଇରାଲ ହେଉଛି। ତେବେ ସୋସିଆଲ ମିଡିଆରେ ଏହାକୁ ନେଇ ଟ୍ରୋଲିଂ ଓ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ବଢ଼ିଚାଲିଛି।

