ପୁଅର ମୃତ୍ୟୁ ଖବର ସହିପାରିଲେନି ବାପା! ଗଛରେ ରଶି ଲଗାଇ ଜୀବନ ହାରିଲେ
ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ମାନସିପାଟଣା ଗାଁରେ ଘଟିଛି ଏକ ଅତ୍ୟନ୍ତ ହୃଦୟବିଦାରକ ଘଟଣା। ପୁଅର ହଠାତ୍ ମୃତ୍ୟୁ ଖବର ଶୁଣି ଦୁଃଖ ସହିପାରିନଥିବା ବାପା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଗୋଟିଏ ରାତିରେ ବାପା-ପୁଅଙ୍କ ମୃତ୍ୟୁ ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ମୃତକ ହେଲେ ଗାୟତ୍ରୀ ଡିଜିଟାଲ ଷ୍ଟୁଡିଓର ମାଲିକ ଷ୍ଟିମର ପଣ୍ଡା ଓରଫ୍ ସିଲୁ ଏବଂ ତାଙ୍କ ବାପା ରସାନନ୍ଦ ପଣ୍ଡା।
ସୂଚନା ଅନୁଯାୟୀ, ଷ୍ଟୁଡିଓରେ କାମ କରୁଥିବା ଜଣେ କର୍ମଚାରୀ କୌଣସି କାରଣରୁ ବିଷ ପିଇଦେଇଥିଲେ। ତାଙ୍କୁ ଡାକ୍ତରଖାନା ନେବା ବେଳେ ସିଲୁ ଅସୁସ୍ଥ ଅନୁଭବ କରିଥିଲେ ଏବଂ ଛାତିରେ ଯନ୍ତ୍ରଣା ହେବାରୁ ଘରକୁ ଫେରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଇସିଜି ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା।
ପୁଅର ମୃତ୍ୟୁ ଖବର ଶୁଣି ବାପା ରସାନନ୍ଦ ପଣ୍ଡା ଭାଙ୍ଗିପଡ଼ିଥିଲେ। ଗଭୀର ଶୋକରେ ସେ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଅନ୍ୟପଟେ ବିଷ ପିଇଥିବା କର୍ମଚାରୀଙ୍କ ଅବସ୍ଥା ଗୁରୁତର ରହିଥିବାବେଳେ ସେ କଟକର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଦୁଇଟି ମୃତ୍ୟୁ ପରେ ସମଗ୍ର ମଙ୍ଗଳପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

