ସ୍ବଧର୍ମକୁ ଫେରିବାକୁ ଅଜବ ପରମ୍ପରା! ସୁଡ଼ଙ୍ଗରେ ପଶି କାନ୍ଦିକାନ୍ଦି ବାହାରିଲେ ପରିବାର
ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍ର ଡୁଙ୍ଗୁରୁଡ଼ିହି ଗାଁରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଆଦିବାସୀ ପରମ୍ପରା। ସ୍ବଧର୍ମକୁ ଫେରିବା ପାଇଁ ଲେମ୍ବୁ ହାଁସଦାଙ୍କ ପରିବାରର ୫ ଜଣ ସଦସ୍ୟଙ୍କୁ ବିଲହିଡ଼ରେ ତିଆରି ହୋଇଥିବା ସୁଡ଼ଙ୍ଗ ମଧ୍ୟରେ ପଶିବାକୁ ପଡ଼ିଥିଲା। ସେମାନେ ସୁଡ଼ଙ୍ଗରୁ କାନ୍ଦିକାନ୍ଦି ବାହାରିଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ, ଲେମ୍ବୁଙ୍କ ପରିବାରର ସଦସ୍ୟମାନେ ବାରମ୍ବାର ଅସୁସ୍ଥ ହେଉଥିବାରୁ କିଛି ଲୋକ ତାଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ପ୍ରେରିତ କରିଥିଲେ। ପରେ ମଧ୍ୟ ସମସ୍ୟା ଦୂର ନ ହେବାରୁ ସେ ନିଜ ଧର୍ମକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଗାଁର ବୈଠକ ପରେ ଆଦିବାସୀ ପରମ୍ପରା ଅନୁସାରେ ସ୍ବଧର୍ମକୁ ଫେରିବା ରୀତିନୀତି ପାଳନ କରାଯାଇଥିଲା।
ଗାଁ ନିକଟସ୍ଥ ବିଲହିଡ଼କୁ କାଟି ତିଆରି ହୋଇଥିବା ସୁଡ଼ଙ୍ଗକୁ ଗର୍ଭାଶୟର ପ୍ରତୀକ ଭାବେ ଧରାଯାଇଥିଲା। ସୁଡ଼ଙ୍ଗରୁ କାନ୍ଦିକାନ୍ଦି ବାହାରିବାକୁ ପୁନର୍ଜନ୍ମର ପ୍ରତୀକ ବୋଲି ମନାଯାଏ। ଏହାସହ ପ୍ରତୀକାତ୍ମକ ଭାବେ ନାହି କଟାଯିବା ଓ ଏକୋଇଶିଆ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା। ପରେ ଗାଁଲୋକଙ୍କ ପାଇଁ ଭୋଜିଭାତ ଓ ହାଣ୍ଡିଆର ବ୍ୟବସ୍ଥା କରାଯାଇଥିଲା।

