ଧାନ ସଂଗ୍ରହକୁ କଡ଼ା ନଜର: କ୍ଷୁଦ୍ର ଚାଷୀଙ୍କୁ ମିଳିବ ପ୍ରାଥମିକତା, ଦଲାଲି ରୋକିବାକୁ ସରକାରଙ୍କ କଡ଼ା ପଦକ୍ଷେପ
ରାଜ୍ୟରେ ଆସନ୍ତା ରବି ଫସଲର ଖରିଫ୍ ବିପଣନ ଋତୁ (KMS) ୨୦୨୫-୨୬ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟାକୁ ସୁଚାରୁରୂପେ କାର୍ଯ୍ୟକରି କରିବା ଲକ୍ଷ୍ୟରେ ସୋମବାର ଏକ ଉଚ୍ଚସ୍ତରୀୟ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଉପସ୍ଥିତ ଥିଲେ।
ବୈଠକରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସ୍ୱାର୍ଥ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବାକୁ ନିଷ୍ପତ୍ତି ହୋଇଛି। ଧାନ କ୍ରୟ ପ୍ରକ୍ରିୟାରେ ଦଲାଲି ଓ ବେଆଇନ କାରବାର ରୋକିବା ପାଇଁ ସରକାର କଡ଼ା ବ୍ୟବସ୍ଥା ନେଇଛନ୍ତି। ବାହାର ରାଜ୍ୟର ଧାନ ଓଡ଼ିଶା ମଣ୍ଡିକୁ ପ୍ରବେଶ ନ କରିବା ପାଇଁ ସୀମା ସିଲ୍ କରାଯିବା ସହ ମଣ୍ଡିରେ ଚାଷୀଙ୍କ ପରିଚୟ ଯାଞ୍ଚ ପାଇଁ ‘ଆଇରିସ୍ ସ୍କାନ’ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି। ଚାଷୀଙ୍କ ଅଭିଯୋଗର ସମାଧାନ ୨୪ ଘଣ୍ଟା ମଧ୍ୟରେ କରିବାକୁ ନୋଡାଲ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ଏହାସହ ଟୋଲ୍-ଫ୍ରି ନମ୍ବର ୧୯୬୭ ମାଧ୍ୟମରେ ଚାଷୀମାନେ ସିଧାସଳଖ ଅଭିଯୋଗ ଜଣାଇପାରିବେ।
ମଣ୍ଡିଗୁଡ଼ିକରେ ପିଇବା ପାଣି, ଶୌଚାଳୟ, ବିଶ୍ରାମ ଗୃହ, ଆଲୋକ ଓ ବର୍ଷାରୁ ଧାନ ସୁରକ୍ଷା ପାଇଁ ପାଲ ବ୍ୟବସ୍ଥା କରାଯିବ। ଧାନ ପରିବହନ ପାଇଁ ଭେହିକିଲ୍ ଟ୍ରାକିଂ ସିଷ୍ଟମ୍ (VTS) ବ୍ୟବହାର ହେବା ସହ ଓଜନ ଯନ୍ତ୍ରଗୁଡ଼ିକୁ ଯାଞ୍ଚ କରାଯିବ। ଗତ ବର୍ଷ ତୁଳନାରେ ଏଥର ଧାନ ସଂଗ୍ରହରେ ୫.୪୮ ପ୍ରତିଶତ ଏବଂ ଚାଷୀ ସଂଖ୍ୟାରେ ୧୪ ପ୍ରତିଶତ ବୃଦ୍ଧି ଘଟିଥିବାରୁ ଅଧିକ ଧାନ ସଂରକ୍ଷଣ ପାଇଁ ଏଫ୍ସିଆଇ ପକ୍ଷରୁ ନୂଆ ଗୋଦାମ ଘର ନିର୍ମାଣ କରାଯିବ ବୋଲି ଜଣାପଡ଼ିଛି।

