ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: AI ଦ୍ୱାରା ହେବ ହିତାଧିକାରୀ ଚିହ୍ନଟ, ୮୦ କୋଟି ଲୋକଙ୍କୁ ପ୍ରଭାବିତ କରିବ ମୋଦି କ୍ୟାବିନେଟ୍ର ନୂଆ ନିଷ୍ପତ୍ତି
କେନ୍ଦ୍ର ସରକାର ରାସନ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଏବଂ ପ୍ରଯୁକ୍ତିନିର୍ଭର କରିବା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ‘ସାର୍ଥକ-PDS’ ଯୋଜନାକୁ ମଞ୍ଜୁରୀ ମିଳିଛି। ଏହି ଯୋଜନା ଦ୍ୱାରା ଦେଶର ପ୍ରାୟ ୮୦ କୋଟି ରାସନ କାର୍ଡଧାରୀ ସିଧାସଳଖ ପ୍ରଭାବିତ ହେବେ। ସରକାର ଏହି ଯୋଜନା ପାଇଁ ପ୍ରାୟ ୨୫,୫୩୦ କୋଟି ଟଙ୍କା ଖର୍ଚ୍ଚ କରିବେ।
କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଏହି ନୂଆ ବ୍ୟବସ୍ଥାରେ ରାସନ ବଣ୍ଟନକୁ ଅଧିକ ସ୍ୱଚ୍ଛ ଏବଂ ଆଧୁନିକ କରାଯିବ। ଏଥିରେ AI ମାଧ୍ୟମରେ ହିତାଧିକାରୀଙ୍କ ପଞ୍ଜୀକରଣ କରାଯିବା ସହ ପ୍ରଯୁକ୍ତିବିଦ୍ୟାର ବ୍ୟାପକ ବ୍ୟବହାର ହେବ। ଏହାସହ ଭାରତୀୟ ଖାଦ୍ୟ ନିଗମ (FCI) ଗୋଦାମରୁ ରାସନ ଦୋକାନ ପର୍ଯ୍ୟନ୍ତ ଖାଦ୍ୟଶସ୍ୟ ପହଞ୍ଚାଇବାରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇବେ।
ଏହାଛଡ଼ା ରାସନ ଡିଲରମାନଙ୍କ ପାଇଁ ମଧ୍ୟ ବଡ଼ ରାହତ ଘୋଷଣା କରାଯାଇଛି। ଦୀର୍ଘ ଦିନ ଧରି ଅପେକ୍ଷାରେ ଥିବା କମିଶନ ବୃଦ୍ଧିକୁ ସରକାର ମଞ୍ଜୁର କରିଛନ୍ତି। ସରକାରଙ୍କ ମତରେ, ଏହି ପଦକ୍ଷେପ ଦ୍ୱାରା ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ଆହୁରି ସୁଚାରୁ ହେବ ଏବଂ ଗରିବ ଲୋକଙ୍କୁ ରାସନ ବଣ୍ଟନରେ ଅନିୟମିତତା କମିବ।

