୫ ମାସ ପରେ ଜେଲ୍ରୁ ବାହାରିଲେ ଶ୍ରୀକ୍ଷେତ୍ର, ସୋନାଲି ପଣ୍ଡାଙ୍କ ଅଭିଯୋଗରେ ହୋଇଥିଲେ ଗିରଫ
ପାଞ୍ଚ ମାସ ପରେ ଜେଲ୍ରୁ ମୁକୁଳିଛନ୍ତି ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାର। ହାଇକୋର୍ଟରୁ ଜାମିନ ମିଳିବା ପରେ ସେ ପୁରୀ ଜେଲ୍ରୁ ବାହାରିଛନ୍ତି। ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ଅଭିଯୋଗ ଆଧାରରେ ପୋଲିସ ତାଙ୍କୁ ପକ୍ସୋ ଆଇନ ଅନୁସାରେ ଗିରଫ କରିଥିଲା। ସୋନାଲିଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ବୟସ କମ୍ ଥିବା ସମୟରେ ଶ୍ରୀକ୍ଷେତ୍ର ତାଙ୍କୁ ବିବାହ କରିଥିଲେ।
ସୂଚନାଯୋଗ୍ୟ ଯେ, କାଗଜୀ ପଲାଇ ଓରଫ ସୋନାଲି ପଣ୍ଡା ଯାତ୍ରା ଜଗତରେ ଏକ ପରିଚିତ ନାମ। ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସେ ଅନେକଥର ଚର୍ଚ୍ଚାରେ ରହିଛନ୍ତି। ସୋନାଲି ଗଣମାଧ୍ୟମରେ ନିଜ ଜୀବନର କଷ୍ଟଦାୟକ ଅଭିଜ୍ଞତା ବିଷୟରେ କହିଥିଲେ। ତାଙ୍କ କହିବା ଅନୁଯାୟୀ, ବିବାହ ପରେ ଶ୍ରୀକ୍ଷେତ୍ର ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ। ଉଭୟଙ୍କର ଏକ ୧୧ ବର୍ଷର ପୁଅ ମଧ୍ୟ ରହିଛି।
ସୋନାଲି ଆହୁରି ଅଭିଯୋଗ କରିଥିଲେ ଯେ, ଶ୍ରୀକ୍ଷେତ୍ର ତାଙ୍କୁ ତୁଳସୀ ଗଣନାଟ୍ୟ ଆଖଡାରେ ଛାଡ଼ି ଚାଲିଯାଇଥିଲେ। ପରେ ନିଜ ପରିଶ୍ରମ ଓ ସଂଘର୍ଷ ଦ୍ୱାରା ସେ ଯାତ୍ରା ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଅନ୍ୟପଟେ, ସୋନାଲିଙ୍କ ସହ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟର ନାଣ୍ଡୁ ବାବୁଙ୍କ ସମ୍ପର୍କକୁ ନେଇ ମଧ୍ୟ ଶ୍ରୀକ୍ଷେତ୍ର ପ୍ରଶ୍ନ ଉଠାଇଥିଲେ। ତେବେ ସୋନାଲି ସମସ୍ତ ଅଭିଯୋଗକୁ ଖଣ୍ଡନ କରି କହିଥିଲେ ଯେ, ନାଣ୍ଡୁ ବାବୁ ତାଙ୍କୁ ସହଯୋଗ କରିଥିଲେ ଏବଂ ସେ ବର୍ତ୍ତମାନ ମଧ୍ୟ ତୁଳସୀ ଗଣନାଟ୍ୟରେ ଅଭିନୟ ଜାରି ରଖିଛନ୍ତି।

