ରଥଯାତ୍ରା ପ୍ରସ୍ତୁତି ନେଇ ଆଜି ବସିବ ଛତିଶା ନିଯୋଗ ବୈଠକ
ଆସନ୍ତା ରଥଯାତ୍ରାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ଗୁରୁତ୍ୱପୂର୍ଣ୍ଣ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ। ନୀଳାଦ୍ରି ଭକ୍ତ ନିବାସରେ ଅପରାହ୍ଣ ସାଢ଼େ ୪ଟାରେ ହେବାକୁ ଥିବା ଏହି ବୈଠକରେ ରଥଯାତ୍ରା ସମେତ ବିଭିନ୍ନ ପର୍ବପର୍ବାଣୀର ନୀତି ଓ ବ୍ୟବସ୍ଥାବଳୀ ଉପରେ ଆଲୋଚନା କରାଯିବ।
ବୈଠକରେ ଚଳିତ ବର୍ଷର ରାଜେନ୍ଦ୍ରାଭିଷେକଠାରୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ସମସ୍ତ ନୀତି ନିର୍ଘଣ୍ଟକୁ ଅନୁମୋଦନ କରାଯିବ। ବିଶେଷକରି ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ା ଯାତ୍ରା ସମୟରେ ସେବାୟତ, ନିଯୋଗ ଓ ପ୍ରଶାସନର ଦାୟିତ୍ୱ ନିର୍ଦ୍ଧାରଣ ସହ ବିଭିନ୍ନ ବ୍ୟବସ୍ଥାକୁ ଚୂଡ଼ାନ୍ତ ରୂପ ଦିଆଯିବ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ସେବାୟତ ପ୍ରତିନିଧି, ନିଯୋଗ ସଦସ୍ୟ ଏବଂ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ରଥଯାତ୍ରାକୁ ନେଇ ଭକ୍ତଙ୍କ ସୁବିଧା, ନୀତିକାନ୍ତିର ସୁଚାରୁ ପରିଚାଳନା ଏବଂ ସାମଗ୍ରିକ ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ବୈଠକରେ ବିସ୍ତୃତ ଆଲୋଚନା ହେବ ବୋଲି ଜଣାପଡ଼ିଛି।

