ନିଟ୍ ପେପର ଲିକ୍ ବିବାଦ: ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘେରିଲା ବିଜେଡି, ଟ୍ରଷ୍ଟ ସମ୍ପର୍କକୁ ନେଇ ଉଠାଇଲା ପ୍ରଶ୍ନ
ନିଟ୍ ପେପର ଲିକ୍ ବିବାଦକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପୁଣି ଆକ୍ରମଣ ଶାଣିଛି ବିଜୁ ଜନତା ଦଳ। ମଙ୍ଗଳବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତାମାନେ ସୋସିଆଲ ମିଡିଆରେ ଚର୍ଚ୍ଚିତ କିଛି ପ୍ରସଙ୍ଗ ଉଠାଇ ଧର୍ମେନ୍ଦ୍ର ପ୍ରଧାନଙ୍କ ପରିବାର ସହ ଜଡିତ ବୋଲି କୁହାଯାଉଥିବା ଏକ ଟ୍ରଷ୍ଟକୁ ନେଇ ପ୍ରଶ୍ନ କରିଛନ୍ତି।
ବିଜେଡିର ଅଭିଯୋଗ ଅନୁଯାୟୀ, ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳା ପ୍ରଧାନ ‘ବିକାଶ ଫାଉଣ୍ଡେସନ ଟ୍ରଷ୍ଟ’ର ଅଧ୍ୟକ୍ଷ ଅଟନ୍ତି। ଦଳ ପକ୍ଷରୁ ଆହୁରି ଦାବି କରାଯାଇଛି ଯେ, ଏହି ଟ୍ରଷ୍ଟ ସହ ଜଡିତ ପାଣ୍ଠିରେ ଆମେରିକାରେ ଏକ ଆବାସିକ ସମ୍ପତ୍ତି କ୍ରୟ କରାଯାଇଥିଲା। ସେହି ଘରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଝିଅ ଉଚ୍ଚଶିକ୍ଷା ସମୟରେ ରହୁଥିବା ଅଭିଯୋଗ ମଧ୍ୟ କରିଛି ବିଜେଡି।
ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, ଜନସାଧାରଣଙ୍କ ମଧ୍ୟରେ ଉଠୁଥିବା ପ୍ରଶ୍ନର ଉତ୍ତର ଧର୍ମେନ୍ଦ୍ର ପ୍ରଧାନ ଦେବା ଉଚିତ। ବିକାଶ ଫାଉଣ୍ଡେସନ ଟ୍ରଷ୍ଟର ମାଲିକାନା, ଆମେରିକାରେ ସମ୍ପତ୍ତି ଥିବା ନା ନଥିବା ଏବଂ ତାଙ୍କ ଝିଅଙ୍କ ବିଦେଶରେ ରହଣି ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେବାକୁ ସେ ଦାବି କରିଛନ୍ତି।

