ବାଲିଅନ୍ତା ବର୍ବରତା ମାମଲା: ୨୫ ମିନିଟ୍ ବିଳମ୍ବରେ ପହଞ୍ଚିଥିଲା ପୁଲିସ, ଆସିନଥିଲା ଆମ୍ବୁଲାନ୍ସ
ବାଲିଅନ୍ତା ବର୍ବରତା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତରୁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚିବାରେ ପ୍ରାୟ ୨୫ ମିନିଟ୍ ବିଳମ୍ବ ହୋଇଥିବା ବେଳେ ଡକାଯାଇଥିବା ଆମ୍ବୁଲାନ୍ସ ମଧ୍ୟ ପହଞ୍ଚି ପାରିନଥିଲା। ଏହି ମାମଲାରେ ଫେରାର ଅଭିଯୁକ୍ତ ପ୍ରଦୀପ ମଙ୍ଗରାଜ ଓରଫ ଦୀପୁକୁ କ୍ରାଇମବ୍ରାଞ୍ଚ ଢେଙ୍କାନାଳ ବାଇପାସ ନିକଟରୁ ଗିରଫ କରିଛି। ଭାଇରାଲ ଭିଡିଓରେ ସେ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ଚପଲ ଓ ଗୋଇଠାରେ ମାଡ଼ ମାରୁଥିବା ଦେଖାଯାଇଥିଲା।
କ୍ରାଇମବ୍ରାଞ୍ଚ ସୂଚନା ଅନୁସାରେ, ଦୁର୍ଘଟଣା ପରେ ସକାଳ ପ୍ରାୟ ୧୧ଟା ବେଳେ ଉତ୍ତେଜନା ଆରମ୍ଭ ହୋଇଥିଲା। ପିସିଆର ଭ୍ୟାନ୍ ୧୧ଟା ୧୦ରେ ପହଞ୍ଚି ତୁରନ୍ତ ଉଚ୍ଚ ଅଧିକାରୀଙ୍କୁ ସୂଚନା ଦେଇଥିଲେ ମଧ୍ୟ ମୁଖ୍ୟ ପୁଲିସ ଟିମ୍ ବିଳମ୍ବରେ ପହଞ୍ଚିଥିଲା। ପରେ ଆମ୍ବୁଲାନ୍ସ ଡକାଯାଇଥିଲେ ମଧ୍ୟ ତାହା ଆସିନଥିଲା। ଫଳରେ ସୌମ୍ୟଙ୍କୁ ଅନ୍ୟ ଉପାୟରେ ଡାକ୍ତରଖାନା ପଠାଯାଇଥିଲା।
କ୍ରାଇମବ୍ରାଞ୍ଚ ଆଇଜି ସାର୍ଥକ ଷଡ଼ଙ୍ଗୀ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ୬ ଜଣଙ୍କୁ ଚିହ୍ନଟ କରାଯାଇଛି। ପୀଡ଼ିତାଙ୍କ ବୟାନ ଓ ସ୍ଥାନୀୟ ଲୋକଙ୍କ ବୟାନ ପରସ୍ପର ସହ ମେଳ ଖାଉଥିବାରୁ ତଦନ୍ତ ଆଗକୁ ବଢ଼ୁଛି। ଫେରାର ଥିବା ପ୍ରଦୀପ ଦେବଗଡ଼ରେ ଲୁଚି ରହିଥିବା ବେଳେ ଢେଙ୍କାନାଳରୁ ତାକୁ ଗିରଫ କରାଯାଇଛି।

