ଇରାନର ପାଲଟା ଆକ୍ରମଣ, ଖାଡ଼ି ଅଞ୍ଚଳରେ ବଢ଼ିଲା ଯୁଦ୍ଧ ଆଶଙ୍କା
ମଧ୍ୟପ୍ରାଚ୍ୟରେ ଉତ୍ତେଜନା ପୁଣିଥରେ ଚରମ ସୀମାରେ ପହଞ୍ଚିଛି। ମଙ୍ଗଳବାର ରାତିରେ ଇରାନ କୁଏତ ଓ ବହାରିନରେ ଥିବା ଆମେରିକୀୟ ସେନା ଘାଟିକୁ ଲକ୍ଷ୍ୟ କରି ମିସାଇଲ ଓ ଡ୍ରୋନ ଆକ୍ରମଣ କରିଥିବା ଦାବି କରିଛି। ପାରସ୍ୟ ଉପସାଗର ଏବଂ ହର୍ମୁଜ ଜଳସନ୍ଧି ଅଞ୍ଚଳରେ ଆମେରିକାର ସାମରିକ ଗତିବିଧିର ଜବାବରେ ଏହି ଆକ୍ରମଣ କରାଯାଇଥିବା ଇରାନ ପକ୍ଷରୁ କୁହାଯାଇଛି। ଏହା ପରେ ସମଗ୍ର ଖାଡ଼ି ଅଞ୍ଚଳରେ ସୁରକ୍ଷା ସତର୍କତା ଜାରି କରାଯାଇଛି।
ଇରାନର ନିଶାନାରେ କୁଏତର ଅଲ୍ ସଲେମ ଏୟାର ବେସ ଓ ବହାରିନର ଇସା ଏୟାର ବେସ ଥିଲା। କୁଏତ ସେନା କହିଛି ଯେ, ତାଙ୍କ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅନେକ ମିସାଇଲ ଓ ଡ୍ରୋନକୁ ଆକାଶରେ ହିଁ ଧ୍ୱଂସ କରିଦେଇଛି। ବହାରିନରେ ମଧ୍ୟ ସାଇରନ ବଜାଯାଇ ଲୋକଙ୍କୁ ସତର୍କ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଅନ୍ୟପଟେ ଆମେରିକାର ସେଣ୍ଟ୍ରାଲ କମାଣ୍ଡ (CENTCOM) କହିଛି ଯେ, ଆତ୍ମରକ୍ଷା ଉଦ୍ଦେଶ୍ୟରେ ଇରାନର କେଶ୍ମ ଦ୍ୱୀପ ଅଞ୍ଚଳରେ ପାଲଟା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆମେରିକା ଦାବି କରିଛି ଯେ, ଇରାନର ଅଧିକାଂଶ ଆକ୍ରମଣକୁ ବିଫଳ କରାଯାଇଛି। ତେବେ ଏହି ସାମରିକ ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଇରାନ ସହ କୂଟନୈତିକ ଯୋଗାଯୋଗ ଏବେ ମଧ୍ୟ ଜାରି ରହିଛି ଏବଂ ଆଲୋଚନା ପ୍ରକ୍ରିୟା ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ। ତଥାପି ଏହି ଘଟଣା ପରେ ବିଶ୍ୱ ମହଳରେ ଏକ ବଡ଼ ଆଞ୍ଚଳିକ ସଂଘର୍ଷର ଆଶଙ୍କା ବଢ଼ିଯାଇଛି।

