Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଆଁରେ ଜଳିଗଲା ରେଷ୍ଟୁରାଣ୍ଟ, ୧୦ ମୃତ; ବେସମେଣ୍ଟରେ ଫସିଥିବା ଲୋକଙ୍କୁ ଉଦ୍ଧାର ଜାରି

ଦିଲ୍ଲୀର ମାଲଭିୟ ନଗର ଅଞ୍ଚଳର ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟି ଅତିକମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନିଆଁ ଲାଗିବା ପରେ ସମଗ୍ର କୋଠା ଧୂଆଁରେ ଆଚ୍ଛନ୍ନ ହୋଇଯାଇଥିବା ବେଳେ ବହୁ ଲୋକ ବେସମେଣ୍ଟରେ ଫସି ରହିଥିବା ଆଶଙ୍କା କରାଯାଉଛି। ଖବର ପାଇ ଦମକଳ ବାହିନୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଅପରେସନ ଚଳାଇଛନ୍ତି।

ଦକ୍ଷିଣ ଜିଲ୍ଲା ଏସଡିଏମ୍‌ ଜିତେନ୍ଦ୍ର କୁମାରଙ୍କ କହିବାନୁସାରେ, ରେଷ୍ଟୁରାଣ୍ଟଟି କୋଠାର ତଳ ମହଲାରେ ଚାଲୁଥିଲା। ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଅନେକ ଲୋକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ପଠାଯାଇଛି। ନିଆଁର ତୀବ୍ରତା ଏତେ ଅଧିକ ଥିଲା ଯେ, ଉପର ମହଲାରେ ଫସିଥିବା କିଛି ଲୋକ ଜୀବନ ବଞ୍ଚାଇବାକୁ କୋଠାରୁ ଡେଇଁ ପଡ଼ିଥିଲେ। ବେସମେଣ୍ଟରେ ଘନ ଧୂଆଁ ଜମି ରହିଥିବାରୁ ଉଦ୍ଧାରକାରୀ ଦଳକୁ ଭିତରକୁ ପ୍ରବେଶ କରିବାରେ ଅସୁବିଧା ହେଉଛି।

ଦିଲ୍ଲୀରେ ନିକଟ ଦିନଗୁଡ଼ିକରେ ଲଗାତାର ଅଗ୍ନିକାଣ୍ଡ ଘଟଣା ଚିନ୍ତା ବଢ଼ାଇଛି। ମୁକୁନ୍ଦପୁରରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଏବଂ ଏସି ବିସ୍ଫୋରଣ ଯୋଗୁଁ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀଙ୍କ ମୃତ୍ୟୁ ଘଟଣା ପରେ ଏହି ନୂଆ ଅଗ୍ନିକାଣ୍ଡ ପୁଣିଥରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ