ଜିଲ୍ଲାପାଳ ଙ୍କ ପ୍ରତିଶ୍ରୁତି କାଟ ଖାଇଲା, ପୁଣି ଆମରଣ ଅନଶନ ରେ ବସିଲେ ମେଗାଲିଫ୍ଟ ଅଞ୍ଚଳ ର ୨୦ ଚାଷି।
କଳାହାଣ୍ଡି,୦୩/୦୬
କଳାହାଣ୍ଡି ଇନ୍ଦ୍ରାବତୀ ମେଗାଲିଫ୍ଟ ଅଞ୍ଚଳ ର ରବିଧାନ କରିଥିବା ଚାଷି ଚଳିତ ରବିଧାନ କ୍ରୟ ପଞ୍ଜିକରଣ ରୁ ବଞ୍ଚିତ ହୋଇ ଦିର୍ଘ ୨୬ ଦିନ ଧରି ଖରା କାଳବୈଶାଖୀ ବର୍ଷା କୁ ଖାତିର ନକରି ମେଗାଲିଫ୍ଟ କୃଷକ ସଙ୍ଘ ର ଆବାହନ ରେ କୋକସରା ଠାରେ ବିଭିନ୍ନ ପର୍ଯ୍ୟାୟରେ ରାସ୍ତା ଅବରୋଧ,ଆମରଣ ଅନଶନ,ଧାରଣା ଜାରି ରଖିଛନ୍ତି। ଗତ ମାସ ୨୨ ତାରିଖ ରେ ଚାଷି ଙ୍କ ଆମରଣ ଅନଶନ ସମୟ ରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଆନ୍ଦୋଳନ ସ୍ଥଳ ରେ ପହଞ୍ଚି ଚାଷି ଙ୍କୁ ୪ ଦିନ ର ସମୟ ମାଗିବା ସହ ପଞ୍ଜିକରଣ ନେଇ ନିର୍ଭର ପ୍ରତିଶ୍ରୁତି ଦେଇ ଆମରଣ ଅନଶନ ପ୍ରତ୍ୟାହୃତ କରିଥିଲେ।ତେବେ ଜିଲ୍ଲାପାଳ ଦେଇଥିବା ସମୟ ସୀମା ଅବଧି ଶେଷ ହୋଇ ଏକ ସପ୍ତାହ ରୁ ଉର୍ଦ୍ଧ ହୋଇଥିବା ବେଳେ ଚାଷି ଙ୍କୁ ଧାନ ବିକ୍ରି ପଞ୍ଜିକରଣ କିମ୍ବା ଟୋକନ ନେଇ କୌଣସି ଲିଖିତ ନିର୍ଭର ପ୍ରତିଶ୍ରୁତି ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିନାହିଁ। ଚାଷି ଙ୍କ ଧର୍ଯ୍ୟ ସୀମା ଟପିଥିବା ବେଳେ ମଙ୍ଗଳବାର କୃଷକ ସଙ୍ଘ ର ସଭାପତି ପୁରୁଷୋତ୍ତମ ଗୁପ୍ତା, ଆବାହକ ରାଜୀବ କୁମାର ଅଗ୍ରୱାଲ, ସମ୍ପାଦକ ଦିଗାମ୍ବର ଦୁରିଆ ଙ୍କ ନେତୃତ୍ୱରେ ଶତାଧିକ ଚାଷି କୋକସରା ଥାନା ରେ ପହଞ୍ଚି କୋକସରା ଥାନା ଅଧିକାରୀ ସୁଜ୍ଞାନ କୁମାର ବାରିକ ଙ୍କୁ ସାକ୍ଷାତ କରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଦାବିପତ୍ର ପ୍ରଦାନ ସହ ବୁଧବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ଆମରଣ ଅନଶନ ରେ ବସିବାକୁ ଲିଖିତ ଅଭିଯୋଗ କରିଥିଲେ।
ବୁଧବାର ସକାଳ ୯ ଘଣ୍ଟା ରୁ ଆନ୍ଦୋଳନ ସ୍ଥଳ ରେ ପୁଣି ୨୦ ଜଣ ଚାଷୀ ଆମରଣ ଅନଶନ ରେ ବସିଛନ୍ତି। ତେବେ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ଆମରଣ ଅନଶନ ରେ ବସିଥିବା ଚାଷି ଙ୍କ ନିକଟରେ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ମେଡ଼ିକାଲ ଟିମ ମଧ୍ୟ ପହଞ୍ଚି ନଥିବା ନେଇ ଆବାହକ ରାଜୀବ ଅଗ୍ରୱାଲ ସୂଚନା ଦେଇଛନ୍ତି । ଅନ୍ୟପଟେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମେଗାଲିଫ୍ଟ ଚାଷି ଙ୍କ ପ୍ରଥମ ପର୍ଯ୍ୟାୟରେ ୫ ଲକ୍ଷ ଧାନ ସଂଗ୍ରହ ପାଇଁ ୫,୯୬୮ ଜଣ ଚାଷି ଙ୍କ ୮,୮୫୨ ଟୋକନ ଆସିଥିବା ନେଇ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ଯଦି ଟୋକନ ପ୍ରକ୍ରିୟା ଆରମ୍ଭ ହୋଇଛି ତେବେ ଜିଲ୍ଲା ପ୍ରଶାସନ କିମ୍ବା ବିଧାୟକ ଆସି କାହିଁକି ଆନ୍ଦୋଳନରତ ଚାଷି ଙ୍କୁ ଏ ସମ୍ପର୍କରେ ସୂଚନା ଦେଉନାହାନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଆନ୍ଦୋଳନ ରତ ଚାଷି। ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷି ଙ୍କୁ ଏନେଇ କୌଣସି ସ୍ପଷ୍ଟୀକରଣ କିମ୍ବା ତଥ୍ୟ ଭିତ୍ତିକ ରିପୋର୍ଟ ନଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଳି ମେଗାଲିଫ୍ଟ କୃଷକ ସଙ୍ଘ ପକ୍ଷରୁ କୁହାଯାଇଛି।

