ଲେବାନନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ଘୋଷଣା, ତଥାପି ଜାରି ରହିଲା ଡ୍ରୋନ ଆକ୍ରମଣ
ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଚାଲିଥିବା ସଂଘର୍ଷକୁ ଶେଷ କରିବା ପାଇଁ ଉଭୟ ପକ୍ଷ ଯୁଦ୍ଧବିରତି (Ceasefire) ଲାଗୁ କରିବାକୁ ରାଜି ହୋଇଛନ୍ତି ବୋଲି ଆମେରିକାର ଟ୍ରମ୍ପ ପ୍ରଶାସନ ଘୋଷଣା କରିଛି। ଇରାନ ସହିତ ଚାଲିଥିବା ବ୍ୟାପକ ସଂଘର୍ଷର ସମାଧାନ ଦିଗରେ ଏହାକୁ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି।
ଆମେରିକା ବିଦେଶ ବିଭାଗ ପକ୍ଷରୁ ଜାରି ହୋଇଥିବା ମିଳିତ ବିବୃତ୍ତି ଅନୁଯାୟୀ, ଏହି ଯୁଦ୍ଧବିରତି ହିଜବୁଲ୍ଲା ପକ୍ଷରୁ ସମ୍ପୂର୍ଣ୍ଣ ଗୁଳିବନ୍ଦ ଓ ଦକ୍ଷିଣ ଲେବାନନର ଲିତାନି ନଦୀର ଦକ୍ଷିଣ ଅଞ୍ଚଳରୁ ସମସ୍ତ ଯୋଦ୍ଧାଙ୍କ ପ୍ରତ୍ୟାହାର ଉପରେ ନିର୍ଭର କରିବ। ଏହା ସହିତ କିଛି “ପାଇଲଟ ଜୋନ” ଗଠନ କରାଯିବ, ଯେଉଁଠାରେ କେବଳ ଲେବାନନ ସେନାର ନିୟନ୍ତ୍ରଣ ରହିବ ଏବଂ କୌଣସି ଅଣ-ରାଷ୍ଟ୍ରୀୟ ସଶସ୍ତ୍ର ଗୋଷ୍ଠୀକୁ ଅନୁମତି ମିଳିବ ନାହିଁ।
ତେବେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ ଗୁରୁବାର ସକାଳେ ଇସ୍ରାଏଲ ଦକ୍ଷିଣ ଲେବାନନର ନାବାତିୟେହ ଅଞ୍ଚଳରେ ଏକାଧିକ ଡ୍ରୋନ ଆକ୍ରମଣ କରିଥିବା ଖବର ମିଳିଛି। ଏହା ଯୁଦ୍ଧବିରତିର ସ୍ଥାୟିତ୍ୱ ନେଇ ପ୍ରଶ୍ନ ସୃଷ୍ଟି କରିଛି।
ଉଲ୍ଲେଖଯୋଗ୍ୟ ଯେ, ଲେବାନନ ଓ ଇସ୍ରାଏଲ ମଧ୍ୟରେ କୌଣସି ଔପଚାରିକ କୂଟନୈତିକ ସମ୍ପର୍କ ନାହିଁ। ହିଜବୁଲ୍ଲା ମଧ୍ୟ ଏହି ଆଲୋଚନାର ପ୍ରତ୍ୟକ୍ଷ ଅଂଶୀଦାର ନଥିଲା। ହିଜବୁଲ୍ଲାର ଜଣେ ଅଧିକାରୀ ପୂର୍ବରୁ କହିଥିଲେ ଯେ ସଂଗଠନ “ଆଂଶିକ ଯୁଦ୍ଧବିରତି” ଗ୍ରହଣ କରିବ ନାହିଁ।
ମିଳିତ ବିବୃତ୍ତିରେ ଇସ୍ରାଏଲୀ ସେନା କେବେ ଦକ୍ଷିଣ ଲେବାନନରୁ ପ୍ରତ୍ୟାହାର କରିବେ ସେନେଇ କୌଣସି ସ୍ପଷ୍ଟ ସମୟସୀମା ଉଲ୍ଲେଖ କରାଯାଇନାହିଁ। ବର୍ତ୍ତମାନ ଇସ୍ରାଏଲ ଲେବାନନ ସୀମା ସଂଲଗ୍ନ ପ୍ରାୟ ୬୦୮ ବର୍ଗ କିଲୋମିଟର ଅଞ୍ଚଳ ଦଖଲରେ ରଖିଛି।
ଏପ୍ରିଲ ୧୭ ତାରିଖରୁ ଏକ ପୂର୍ବ ଯୁଦ୍ଧବିରତି ଲାଗୁ ହେବାର ଯୋଜନା ଥିଲା, କିନ୍ତୁ ଉଭୟ ପକ୍ଷ ପରସ୍ପର ଉପରେ ନିୟମ ଉଲ୍ଲଂଘନ ଅଭିଯୋଗ ଆଣି ଆକ୍ରମଣ ଜାରି ରଖିଥିଲେ।
ଉଲ୍ଲେଖନୀୟ ଯେ, ମାର୍ଚ୍ଚ ୨ ତାରିଖରେ ହିଜବୁଲ୍ଲା ଇରାନକୁ ସମର୍ଥନ କରି ପୁଣିଥରେ ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ କରିବା ପରେ ସଂଘର୍ଷ ତୀବ୍ର ହୋଇଥିଲା। ୱାଶିଂଟନରେ ଲେବାନନ ଓ ଇସ୍ରାଏଲ ପ୍ରତିନିଧିମାନଙ୍କ ମଧ୍ୟରେ ଏହା ଚତୁର୍ଥ ପର୍ଯ୍ୟାୟ ସିଧାସଳଖ ଆଲୋଚନା ଥିଲା।

