ବ୍ରହ୍ମପୁର ରେଳ ଷ୍ଟେସନରେ ଅଘଟଣ: ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ
ବ୍ରହ୍ମପୁର ରେଳ ଷ୍ଟେସନରେ ଏକ ଦୁଃଖଦ ଅଘଟଣ ଘଟିଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚାଞ୍ଚଡାପଲ୍ଲୀ ଗାଁର ସାଗର ଜେନା ନାମକ ଜଣେ ଯୁବକ ଟ୍ରେନରୁ ଖସି ପ୍ରାଣ ହରାଇଛନ୍ତି। ସାଗର ତାମିଲନାଡୁକୁ ଦାଦନ ଶ୍ରମିକ ଭାବେ କାମ କରିବା ପାଇଁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା।
ସୂଚନା ଅନୁସାରେ, ସାଗର ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚି ଟ୍ରେନରେ ଚଢ଼ିବାକୁ ଯାଉଥିବା ସମୟରେ ତାଙ୍କ ଗୋଡ଼ ଖସିଯାଇଥିଲା। ଫଳରେ ସେ ଟ୍ରେନ ଓ ପ୍ଲାଟଫର୍ମ ମଧ୍ୟରେ ପଡ଼ି ଗୁରୁତର ଆହତ ହୋଇଥିଲେ। ଘଟଣା ଦେଖି କିଛି ଯାତ୍ରୀ ତୁରନ୍ତ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ।
ତେବେ ସେଠାରେ ଡାକ୍ତର ସାଗରଙ୍କୁ ମୃତ ଘୋଷଣା କରିଥିଲେ। ଯୁବକଙ୍କ ଅକାଳ ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ପରିବାର ସଦସ୍ୟଙ୍କ ସହ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଜୀବିକା ପାଇଁ ଘର ଛାଡ଼ି ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିବାରୁ ସ୍ଥାନୀୟ ଲୋକେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

