ବେପରୁଆ ଟ୍ରକ୍ ଚାଳନାରୁ ଅଘଟଣ; ଅଟୋ ଉପରେ ଓଲଟିଲା ସାର ବୋଝେଇ ଟ୍ରକ୍, ୪ ଆହତ
କଟକ ପ୍ରେସ୍ ଛକ ନିକଟରେ ରବିବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏକ ସାର ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଅଟୋ ଉପରେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଅଟୋ ଚାଳକଙ୍କ ସହ ତିନି ଜଣ ମହିଳା ଯାତ୍ରୀ ଆହତ ହୋଇଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଭୁବନେଶ୍ୱର ପଟରୁ ଏକ ସାର ବୋଝେଇ ଟ୍ରକ୍ ଦ୍ରୁତ ଗତିରେ ଆସୁଥିଲା। ଟ୍ରକ୍ଟି କଟକ ପ୍ରେସ୍ ଛକ ଓଭରବ୍ରିଜ୍ ତଳ ଦେଇ ନୂଆପଡ଼ା ଅଭିମୁଖେ ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଯାଉଥିବା ଏକ ଅଟୋ ଉପରେ ଓଲଟି ପଡ଼ିଥିଲା।
ଦୁର୍ଘଟଣା ସମୟରେ ଅଟୋରେ ତିନି ଜଣ ମହିଳା ଯାତ୍ରୀ ଥିଲେ। ଟ୍ରକ୍ ତଳେ ଅଟୋ ଚାପି ହୋଇଯିବାରୁ ସେମାନେ ଫସି ରହିଥିଲେ।
ଖବର ପାଇ ମଧୁପାଟଣା ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ଅଟୋ ଚାଳକ ଓ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି।
ଏପଟେ ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଫେରାର ଚାଳକଙ୍କୁ ଖୋଜାଖୋଜି ଚାଲିଛି।

