ବିଜେଡିକୁ ସକ୍ରିୟ କରିବାକୁ ନବୀନଙ୍କ ମନ୍ତ୍ର; ପଞ୍ଚାୟତ-ପୌର ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତିର ଆହ୍ୱାନ
ଭୁବନେଶ୍ୱର: ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ନିଜର ସାଙ୍ଗଠନିକ ଶକ୍ତିକୁ ସୁଦୃଢ଼ କରିବା ଉପରେ ଜୋର ଦେଇଛି। ମଙ୍ଗଳବାର ଶଙ୍ଖ ଭବନରେ ୨୦୨୪ ସାଧାରଣ ନିର୍ବାଚନରେ ଲଢ଼ିଥିବା ବିଧାୟକ ପ୍ରାର୍ଥୀମାନଙ୍କ ସହ ଆୟୋଜିତ ବୈଠକରେ ଦଳ ସଭାପତି ନବୀନ ପଟ୍ଟନାୟକ ରାଜ୍ୟର ବର୍ତ୍ତମାନ ଶାସନ ବ୍ୟବସ୍ଥାକୁ କଡ଼ା ସମାଲୋଚନା କରିବା ସହ ଦଳୀୟ ନେତାଙ୍କୁ ତୃଣମୂଳ ସ୍ତରରେ ସକ୍ରିୟ ହେବାକୁ ପରାମର୍ଶ ଦେଇଛନ୍ତି।
ବୈଠକରେ ନବୀନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଅବନତି ଘଟିଛି ଏବଂ ହତ୍ୟା, ନାରୀ ନିର୍ଯାତନା, ଲୁଟ୍ ଭଳି ଅପରାଧ ବଢ଼ି ଚାଲିଛି। ସେ ଅଭିଯୋଗ କରିଥିଲେ ଯେ ବିଜେଡି ସରକାର ବିପୁଳ ବଳକା ରାଜସ୍ୱ ଛାଡ଼ି ଯାଇଥିବା ସତ୍ତ୍ୱେ ରାଜ୍ୟର ଋଣଭାର ବୃଦ୍ଧି ପାଇଛି ଏବଂ ସାମାଜିକ ସୁରକ୍ଷା ଯୋଜନାରେ ମଧ୍ୟ ଲୋକେ ସୁବିଧା ପାଉନାହାନ୍ତି। ବିଜେଡିର ୨୪ ବର୍ଷର ଶାସନକାଳରେ ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା, ବିପର୍ଯ୍ୟୟ ପରିଚାଳନା ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ଜାତୀୟ ସ୍ତରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଥା ମଧ୍ୟ ସେ ଉଲ୍ଲେଖ କରିଥିଲେ।
ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟା ଉପରେ ଆଲୋକପାତ କରି ନବୀନ ପଟ୍ଟନାୟକ କହିଥିଲେ ଯେ ଯୋଗ୍ୟ ଭୋଟରଙ୍କ ନାମ ଯେପରି ଭୋଟର ତାଲିକାରୁ ବାଦ ନ ପଡ଼େ, ସେଥିପାଇଁ ଦଳୀୟ କର୍ମୀମାନେ ସତର୍କ ରହିବା ଆବଶ୍ୟକ। ସେହିପରି ବିଜେଡି ପକ୍ଷରୁ ଚାଲିଥିବା ‘ନାରୀ ଅଧିକାର ଅଭିଯାନ’ର ବିପୁଳ ସଫଳତାକୁ ସେ ପରିବର୍ତ୍ତନର ସଙ୍କେତ ବୋଲି କହିଥିଲେ। ବୈଠକରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବା, ସୋସିଆଲ ମିଡିଆକୁ ଅଧିକ ପ୍ରଭାବଶାଳୀ ଭାବେ ବ୍ୟବହାର କରିବା ଏବଂ ସଂଗଠନକୁ ତୃଣମୂଳ ସ୍ତରରେ ମଜଭୁତ କରିବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

