ଇରାନ-ଆମେରିକା ମଧ୍ୟରେ ସମଝୌତା ନିକଟତର! ନୂଆ ଆକ୍ରମଣ ବାତିଲ କଲେ ଟ୍ରମ୍ପ
ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ତିବ୍ର ଉତ୍ତେଜନା ମଧ୍ୟରେ ଏକ ବଡ଼ କୂଟନୀତିକ ଘଟଣା ସାମ୍ନାକୁ ଆସିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ତେହରାନ ସହ ଏକ ଚୁକ୍ତି ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି କାରଣରୁ ସେ ଇରାନ ବିରୋଧରେ ଯୋଜନା କରାଯାଇଥିବା ତୃତୀୟ ଦିନର ସାମରିକ ଆକ୍ରମଣକୁ ବାତିଲ କରିଦେଇଥିବା କହିଛନ୍ତି। ଟ୍ରମ୍ପଙ୍କ କହିବା ଅନୁସାରେ, ଚୁକ୍ତି ସ୍ୱାକ୍ଷର ପାଇଁ ସମୟ ଓ ସ୍ଥାନ ଖୁବଶୀଘ୍ର ଘୋଷଣା କରାଯିବ।
ଏହା ପୂର୍ବରୁ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇ କହିଥିଲେ ଯେ ଆବଶ୍ୟକ ପଡ଼ିଲେ ଆମେରିକୀୟ ସେନା ଇରାନର ଖାର୍ଗ ଦ୍ୱୀପ ସମେତ ଗୁରୁତ୍ୱପୂର୍ଣ୍ଣ ତୈଳ ଭିତ୍ତିଭୂମିକୁ ଲକ୍ଷ୍ୟ କରିବ। ତେବେ ନୂଆ ବୟାନରୁ ଦୁଇ ଦେଶ ମଧ୍ୟରେ କୂଟନୀତିକ ସମାଧାନର ସମ୍ଭାବନା ବଢ଼ିଥିବା ଜଣାପଡ଼ୁଛି।
ଏହି ପ୍ରସଙ୍ଗରେ ଦକ୍ଷିଣ ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ପ୍ରଫେସର ଆରମାନ ମାହମୁଦିଆନ କହିଛନ୍ତି ଯେ ଇରାନର ଦୁଇଟି ପ୍ରମୁଖ ଦାବି ରହିଛି। ପ୍ରଥମଟି ହେଉଛି ସୁରକ୍ଷା ଗ୍ୟାରେଣ୍ଟି, ଅର୍ଥାତ୍ ଭବିଷ୍ୟତରେ ଇରାନ ଉପରେ ଆଉ କୌଣସି ସାମରିକ ଆକ୍ରମଣ ନ ହେବାର ନିଶ୍ଚିତତା। ଦ୍ୱିତୀୟଟି ହେଉଛି ଆମେରିକୀୟ ଆର୍ଥିକ ପ୍ରତିବନ୍ଧକ ହଟାଇବା ଏବଂ ତୁରନ୍ତ ଆର୍ଥିକ ରାହାତ ଦେବା। ବିଶେଷଜ୍ଞମାନଙ୍କ ମତରେ, ଆମେରିକା ପକ୍ଷରୁ କିଛି ଗ୍ୟାରେଣ୍ଟି ଦିଆଯାଇପାରେ, କିନ୍ତୁ ଇସ୍ରାଏଲର ଭୂମିକା ଓ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସମ୍ମତି ଏହି ଚୁକ୍ତିର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇପାରେ।
ଇରାନ-ଆମେରିକା ସମ୍ପର୍କରେ ଏହି ନୂଆ ମୋଡ଼ ମଧ୍ୟପ୍ରାଚ୍ୟରେ ଚାଲିଥିବା ଅସ୍ଥିରତା ମଧ୍ୟରେ ଏକ ସକାରାତ୍ମକ ସଙ୍କେତ ବୋଲି ବିଶ୍ଳେଷକମାନେ ମତ ପ୍ରକାଶ କରିଛନ୍ତି।

