Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରପଞ୍ଚ ଚାମେଲି ଓଝାଙ୍କୁ ନେଇ ମହାକାଳପଡ଼ା ରାଜନୀତି ଉଷ୍ମ, ଥାନାରେ ପାଲଟା ମାମଲା ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ମହାକାଳପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ତିଖିରୀ ସରପଞ୍ଚ ଚାମେଲି ଓଝା ଓ ସ୍ଥାନୀୟ ପ୍ରଶାସନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦକୁ ନେଇ ରାଜନୈତିକ ଉଷ୍ମତା ବଢ଼ିଛି। ବିଡିଓ ରବିନାରାୟଣ ଆଚାର୍ଯ୍ୟଙ୍କ ଅଭିଯୋଗ ଆଧାରରେ ମହାକାଳପଡ଼ା ଥାନା ପୁଲିସ ଚାମେଲି ଓଝା ଏବଂ ତାଙ୍କ ଭାଇ ସୂର୍ଯ୍ୟକାନ୍ତ ଓଝାଙ୍କ ବିରୋଧରେ ମାମଲା ରୁଜୁ କରିଛି। ସୂର୍ଯ୍ୟକାନ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ, ଚିକିତ୍ସାଧୀନ ଥିବା ଚାମେଲି ତାଙ୍କ ପରିବାର ମାଧ୍ୟମରେ ଥାନାରେ ଏତଲା ଦାଖଲ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ନ୍ୟାୟ ଦାବି କରିଛନ୍ତି।

ଚାମେଲିଙ୍କ ଅଭିଯୋଗ ଅନୁସାରେ, ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ନେଇ ବିଡିଓଙ୍କ ସହ ଆଲୋଚନା କରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ସହ ଅଶାଳୀନ ବ୍ୟବହାର କରିଥିଲେ। ତାଙ୍କ ଭାଇ ଫେସବୁକ୍ ଲାଇଭ୍ କରିବାକୁ ଚେଷ୍ଟା କରିବାରୁ ଉଭୟଙ୍କୁ ମାଡ଼ ମାରିବା ସହ ଗଣଦୁଷ୍କର୍ମ ଧମକ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ପରେ ପୁଲିସ ଥାନାକୁ ନେବା ବେଳେ ଏବଂ ଥାନା ଭିତରେ ମଧ୍ୟ ତାଙ୍କ ସହ ଅସଦ୍‌ବ୍ୟବହାର କରାଯାଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଘଟଣାର ନିରପେକ୍ଷ ତଦନ୍ତ ଓ ନ୍ୟାୟ ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ମହାକାଳପଡ଼ା ଥାନାର ସବ୍‌-ଇନ୍ସପେକ୍ଟର ତପସ୍ୱିନୀ ବିଶ୍ୱାଳ ଚାମେଲିଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ପୁଲିସ ଗାଡ଼ିରେ ଥାନାକୁ ଆଣିବା ବେଳେ ଚାମେଲି ତାଙ୍କ ହାତକୁ କାମୁଡ଼ିବା ସହ ଅନ୍ୟ ଦୁଇଜଣ ମହିଳା ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରି ଖସି ପଳାଇବାକୁ ଚେଷ୍ଟା କରିଥିଲେ। ଉଭୟ ପକ୍ଷର ଅଭିଯୋଗ ଆଧାରରେ ପୁଲିସ ଦୁଇଟି ପୃଥକ ମାମଲା ରୁଜୁ କରିଛି। ଏହି ଘଟଣାକୁ ନେଇ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବିଜେପି ନେତା ଡ. ସୌଭାଗ୍ୟ ପରିଡ଼ା ଏବଂ ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ନିରପେକ୍ଷ ତଦନ୍ତ ଓ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ