୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଜରପଡ଼ା ଥାନାର ମହିଳା ଏଏସଆଇ
ଅନୁଗୁଳ: ଲାଞ୍ଚ ନେବା ଅଭିଯୋଗରେ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନାର ଏଏସଆଇ ସୀତା ନାୟକଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଏକ ମାମଲାରେ ସହାୟତା କରିବା ଓ ମାମଲାର ସମାଧାନ କରାଇଦେବା ନାମରେ ସେ ଜଣେ ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା।
ସୂଚନା ଅନୁଯାୟୀ, ଜରପଡ଼ା ଥାନାରେ ରୁଜୁ ହୋଇଥିବା ଏକ ମାମଲାର ତଦନ୍ତକାରୀ ଅଧିକାରୀ ଭାବେ ସୀତା ନାୟକ ଦାୟିତ୍ୱରେ ଥିଲେ। ମାମଲାରେ ଅଭିଯୋଗକାରୀ ଓ ପ୍ରତିପକ୍ଷଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ସତ୍ତ୍ୱେ ମାମଲାର ସମାଧାନ ପାଇଁ ସେ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହାପରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।
ଭିଜିଲାନ୍ସ ପକ୍ଷରୁ ଯୋଜନାବଦ୍ଧ ଚଢ଼ାଉ ସମୟରେ ଏଏସଆଇ ସୀତା ନାୟକ ୮ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଧରାପଡ଼ିଥିଲେ। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଗିରଫ ପରେ ଭିଜିଲାନ୍ସ ତାଙ୍କ ସହ ସମ୍ପୃକ୍ତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚଳାଇ ଅଧିକ ତଦନ୍ତ ଜାରି ରଖିଛି।

