Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ଼ ହରାଇଲା ଜଣେ ସମର୍ପିତ ଚିକିତ୍ସକ : ସ୍ମୃତିସଭାରେ ଝରିଲା ସ୍ମୃତିର ଫୁଲ।

କଳାହାଣ୍ଡି,୧୪/୦୬
ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ, ବିଶିଷ୍ଟ ସମାଜସେବୀ ତଥା ଅବସରପ୍ରାପ୍ତ ଚିକିତ୍ସକ ଡା. ପଲଉ ପ୍ରଧାନ (୭୦)ଙ୍କ ଅକାଳ ବିୟୋଗରେ ସମଗ୍ର ଧର୍ମଗଡ଼ ଅଞ୍ଚଳ ଶୋକାକୁଳ ହୋଇପଡ଼ିଛି। ଜଣେ ଦକ୍ଷ ଚିକିତ୍ସକ, ସରଳ ଓ ମିଷ୍ଟଭାଷୀ ବ୍ୟକ୍ତିତ୍ୱ ଭାବେ ପରିଚିତ ଡା. ପ୍ରଧାନଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଆଜି ଧର୍ମଗଡ଼ଠାରେ ଏକ ଶୋକସଭା ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଉପସ୍ଥିତ ବକ୍ତାମାନେ ତାଙ୍କ ଜୀବନବ୍ୟାପୀ ସେବା, ନିଷ୍ଠା ଓ ମାନବିକତାକୁ ସ୍ମରଣ କରି ଭାବବିହ୍ୱଳ ହୋଇପଡ଼ିଥିଲେ।
ବରିଷ୍ଠ ଆଇନଜୀବୀ ତୁଷାର ରଞ୍ଜନ ପଟ୍ଟଯୋଶୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଡା. ଅଜିତ କୁମାର ନେଗୀ, ଡା. ବାବାଜୀ ଚରଣ ଦାସ, ଗାୟତ୍ରୀ ପରିବାରର ସୁରେଶ ଚନ୍ଦ୍ର ମୁଣ୍ଡ, ଯାଦବ ସଂଘ ସଭାପତି ଡମ୍ବରୁଧର ଲହଜଲ, ବରିଷ୍ଠ ନାଗରିକ ସଂଘର ଗୁଣନିଧି ମାଝୀ, ବ୍ୟବସାୟୀ ସଂଘ ସଭାପତି ବିଦ୍ୟାଧର ସାହୁ, ସମ୍ପାଦକ ଅରୁଣ କୁମାର ତାୟଲ, ସାମାଜିକ କର୍ମୀ ହୃଷିକେଶ ମିଶ୍ର, ମୁସଲିମ ଜମାତ ସଭାପତି ରଫିଉଦ୍ଦିନ ଖାଁ, ଆଇନଜୀବୀ ରାଜେନ୍ଦ୍ର ମୁନି, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମନ୍ତ କୁମାର ପଣ୍ଟା, ରାଜେନ୍ଦ୍ର ଦୁରିଆ, ବିଶ୍ୱଜିତ ବେହେରା, ଅଧ୍ୟାପକ ଲିଙ୍ଗରାଜ ପାତ୍ର, ବଙ୍କିମ ମୁଣ୍ଡ, ସରୋଜ ପଣ୍ଟା, ଏଲନିଶି ମିଶନ ସ୍କୁଲର ନିର୍ଦ୍ଦେଶକ ଏସ୍. ଜୟ କୁଟ୍ଟୀ, ସିଟିଜେନ୍ ଫୋରମ୍ ସଭାପତି ବଙ୍କିମ ସାଗର, ସାମ୍ବାଦିକ ସଙ୍ଘ ପକ୍ଷରୁ ଉମେଶ ଦୁରିଆ, ଢଗ ନାଏକ ଓ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ବେହେରାଙ୍କ ସମେତ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।ସଭା ଆରମ୍ଭରେ ସ୍ୱର୍ଗତ ଡା. ପ୍ରଧାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହାପରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଦିବଙ୍ଗତ ଆତ୍ମାଙ୍କ ସଦ୍‌ଗତି କାମନା କରାଯାଇଥିଲା। ବକ୍ତାମାନେ ତାଙ୍କ ଚିକିତ୍ସା କ୍ଷେତ୍ରରେ ଅବଦାନ ସହିତ ସମାଜ ପ୍ରତି ତାଙ୍କର ନିଷ୍କାମ ସେବା ମନୋଭାବକୁ ଉଚ୍ଚ ପ୍ରଶଂସା କରିଥିଲେ। ସେମାନେ କହିଥିଲେ ଯେ, ଡା. ପ୍ରଧାନ କେବଳ ଜଣେ ଡାକ୍ତର ନଥିଲେ, ବରଂ ଗରିବ ଓ ଅସହାୟ ପରିବାରଙ୍କ ପାଇଁ ସେ ଥିଲେ ଆଶା ଓ ଭରସାର ଅନ୍ୟ ଏକ ନାମ।
ସୂଚନାଯୋଗ୍ୟ ଯେ, ଡା. ପଲଉ ପ୍ରଧାନ ଦୀର୍ଘ ୧୯ ବର୍ଷ ଧରି ଧର୍ମଗଡ଼ ସରକାରୀ ଚିକିତ୍ସାଳୟରେ ଶିଶୁ ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ହଜାର ହଜାର ଶିଶୁ ଉପକୃତ ହୋଇଥିଲେ। ରୋଗୀଙ୍କ ପ୍ରତି ତାଙ୍କର ଆନ୍ତରିକତା, ଦାୟିତ୍ୱବୋଧ ଏବଂ ସରଳ ବ୍ୟବହାର ତାଙ୍କୁ ସାଧାରଣ ଲୋକଙ୍କ ନିକଟରେ ଅତ୍ୟନ୍ତ ଲୋକପ୍ରିୟ କରିଥିଲା। ସରକାରୀ ସେବାରୁ ଅବସର ଗ୍ରହଣ ପରେ ମଧ୍ୟ ସେ ନିଜ ଜନ୍ମମାଟି ଓ ଧର୍ମଗଡ଼ ଅଞ୍ଚଳର ଲୋକଙ୍କ ସହ ସମ୍ପର୍କ ଅତୁଟ ରଖିଥିଲେ।
ଶେଷରେ ଉପସ୍ଥିତ ସମସ୍ତେ ଏକ ସ୍ୱରରେ କହିଥିଲେ ଯେ, ଡା. ପଲଉ ପ୍ରଧାନଙ୍କ ପରି ସମାଜସେବୀ ଓ ମାନବିକ ଚିକିତ୍ସକ ବିରଳ। ତାଙ୍କର ନିଷ୍ଠା, ସେବାଭାବ ଓ ଆଦର୍ଶ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ। ଧର୍ମଗଡ଼ ଅଞ୍ଚଳର ଲୋକମାନଙ୍କ ହୃଦୟରେ ସେ ସର୍ବଦା ଜଣେ ଜନପ୍ରିୟ ଶିଶୁ ରୋଗ ବିଶେଷଜ୍ଞ ଏବଂ ମହାନ ମଣିଷ ଭାବେ ଅମର ରହିବେ।ବିଶେଷକରି ଅବସର ପରେ ମଧ୍ୟ ସେ ପ୍ରତି ସପ୍ତାହରେ ଧର୍ମଗଡ଼ ଆସି ଅସଂଖ୍ୟ ଶିଶୁଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଆସୁଥିଲେ। ଆର୍ଥିକ ଭାବେ ଦୁର୍ବଳ ପରିବାରମାନଙ୍କ ପାଇଁ ସେ ଥିଲେ ଜଣେ ଦେବଦୂତ ସଦୃଶ। ତାଙ୍କ ଚିକିତ୍ସା ଓ ପରାମର୍ଶ ଯୋଗୁଁ ଅନେକ ଶିଶୁ ନୂଆ ଜୀବନ ପାଇଥିବା କଥା ସଭାରେ ବକ୍ତାମାନେ ସ୍ମରଣ କରିଥିଲେ।ଗତ ଜୁନ୍ ୬ ତାରିଖରେ ପରିବାର ସହ ଛୁଟି କାଟିବା ପାଇଁ ତାମିଲନାଡୁର କୋଏମ୍ବାଟୁର ଯାଇଥିବା ବେଳେ ଏକ ହୋଟେଲରେ ହଠାତ୍ ହୃଦଘାତ (କାର୍ଡିଆକ୍ ଆରେଷ୍ଟ) ଯୋଗୁଁ ତାଙ୍କର ପରଲୋକ ଘଟିଥିଲା। ତାଙ୍କ ଅପ୍ରତ୍ୟାଶିତ ବିୟୋଗ ଖବର ପ୍ରଚାରିତ ହେବା ପରେ ଧର୍ମଗଡ଼ ସମେତ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଶୋକର ଲହରୀ ଖେଳିଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ