Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଜରେ କେନ୍ଦୁଝରରେ ପୋଲିସ ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକ ଗୁରୁତର

କେନ୍ଦୁଝର: ରଜ ପର୍ବ ଅବସରରେ କେନ୍ଦୁଝର ପୋଲିସର ଅପରାଧ ନିୟନ୍ତ୍ରଣ ଅଭିଯାନ ବେଳେ ଏକ ଏନକାଉଣ୍ଟର ଘଟଣା ସାମ୍ନାକୁ ଆସିଛି। ଏଥିରେ କୁଖ୍ୟାତ ଅପରାଧୀ ପ୍ରଭାତ ମଲ୍ଲିକ ଗୁରୁତର ଆହତ ହୋଇଛି। ତାଙ୍କୁ ଉଦ୍ଧାର କରି କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୋଲିସ ସୂଚନା ଅନୁଯାୟୀ, ପ୍ରଭାତ ମଲ୍ଲିକ ନାମରେ ବିଭିନ୍ନ ଥାନାରେ ୪୦ରୁ ଅଧିକ ମାମଲା ରହିଛି। କିଛିଦିନ ପୂର୍ବେ ବନ୍ଧୁକ ମୁନରେ ୮ ଲକ୍ଷ ୧୮ ହଜାର ଟଙ୍କା ଡକାୟତି ଘଟଣାରେ ତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ପୋଲିସ ତାଙ୍କୁ ଟାଙ୍ଗରାଣୀ ଅଞ୍ଚଳରୁ ଗିରଫ କରିଥିଲା।

ଗିରଫ ପରେ ପ୍ରଭାତଙ୍କ ନିକଟରୁ ୧୨ ହଜାର ଟଙ୍କା ଜବତ କରାଯାଇଥିଲା। ଅବଶିଷ୍ଟ ଟଙ୍କା ସଦର ଥାନା ଅଧୀନ ମହୁଲଡିହା ଜଙ୍ଗଲରେ ଲୁଚାଇ ରଖିଥିବା ସେ ପୋଲିସକୁ ସୂଚନା ଦେଇଥିଲା।

ଟଙ୍କା ଉଦ୍ଧାର ପାଇଁ ପୋଲିସ ପ୍ରଭାତଙ୍କୁ ମହୁଲଡିହା ଜଙ୍ଗଲକୁ ନେଇଥିବା ବେଳେ ସେ ହଠାତ୍ ଗାତ ଭିତରୁ ଲୁଚାଇ ରଖିଥିବା ଏକ ଦେଶୀ ବନ୍ଧୁକ ବାହାର କରି ପୋଲିସ ଉପରକୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଏହା ପରେ ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ଗୁଳି ଚଳାଇଥିଲା।

ପୋଲିସର ଗୁଳି ପ୍ରଭାତଙ୍କ ଡାହାଣ ଗୋଡ଼ରେ ବାଜିଥିବାରୁ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରି ଧରଣୀଧର ମେଡିକାଲ କଲେଜକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି।

ଘଟଣାସ୍ଥଳରୁ ପୋଲିସ ଏକ ଦେଶୀ ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ସୂଚନା ମିଳିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ