Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆରବ ସାଗରରେ, ଆମେରିକୀୟ ନୌସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ! ଜଣେ ନିଖୋଜ

ଆରବ ସାଗରରେ ଏକ ସାମୁଦ୍ରିକ ଦୁର୍ଘଟଣା ଘଟିଛି। ଆମେରିକୀୟ ନୌସେନାର MH-60S Sea Hawk ହେଲିକପ୍ଟର ଜରୁରୀକାଳୀନ ଭାବେ ସମୁଦ୍ରରେ ଅବତରଣ କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ହେଲିକପ୍ଟରର ଜଣେ କ୍ରିଉ ସଦସ୍ୟ ଏବେ ମଧ୍ୟ ନିଖୋଜ ଅଛନ୍ତି।

ଏହି ଘଟଣା ଜୁଲାଇ ୧ ତାରିଖ ଭୋର ପ୍ରାୟ ୩:୩୦ ସମୟରେ ଘଟିଥିଲା। ହେଲିକପ୍ଟରଟି USS George H.W. Bush ବିମାନବାହୀ ଯୁଦ୍ଧଜାହାଜ ସହ ମୁତୟନ ଥିଲା। ଏଥିରେ ମୋଟ ୪ ଜଣ କ୍ରିଉ ସଦସ୍ୟ ରହିଥିଲେ। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେମାନେ ଆହତ ହୋଇଥିଲେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଅନ୍ୟ ଜଣେ କ୍ରିଉ ସଦସ୍ୟଙ୍କ ସନ୍ଧାନ ପାଇଁ ଆମେରିକୀୟ ନୌସେନା ଓ ସହାୟକ ଉଦ୍ଧାରକାରୀ ଦଳ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ତେବେ ଆମେରିକୀୟ ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏହି ଘଟଣା ପଛରେ କୌଣସି ଶତ୍ରୁପକ୍ଷର ଆକ୍ରମଣ କିମ୍ବା ‘ହୋଷ୍ଟାଇଲ୍ ଆକ୍ସନ୍’ର ସଙ୍କେତ ମିଳିନାହିଁ। ହେଲିକପ୍ଟରଟି କେଉଁ ପରିସ୍ଥିତିରେ ଜରୁରୀକାଳୀନ ଜଳ ଅବତରଣ କରିଥିଲା, ତାହାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି।

‘USS George H.W. Bush’ ଏପ୍ରିଲ ୨୦୨୬ରୁ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ମୁତୟନ ରହିଛି। ଆମେରିକାର U.S. 5th Fleet ପର୍ସିଆନ୍ ଗଲ୍ଫ, ଆରବ ସାଗର ଏବଂ ଭାରତ ମହାସାଗରର କିଛି ଅଂଶରେ ସାମୁଦ୍ରିକ ସୁରକ୍ଷା ଓ ସାମରିକ ଅପରେସନ୍‌ର ଦାୟିତ୍ୱ ନିର୍ବାହ କରୁଛି। ହର୍ମୁଜ ପ୍ରଣାଳୀ (Strait of Hormuz) ଓ ବାବ୍ ଅଲ୍-ମଣ୍ଡାବ (Bab el-Mandeb) ପରି ରଣନୈତିକ ଜଳପଥରେ ସୁରକ୍ଷା ବଜାୟ ରଖିବା ଏହି ବାହିନୀର ପ୍ରମୁଖ ଦାୟିତ୍ୱ। ବର୍ତ୍ତମାନ ଏହି ଘଟଣାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ନିଖୋଜ କ୍ରିଉ ସଦସ୍ୟଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ନିରନ୍ତର ଅଭିଯାନ ଚଳାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ