Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚନ୍ଦ୍ରିକା ମୃତ୍ୟୁ ମାମଲା: ଭୀମସେନ ପ୍ରସାଦ ଟୁଡୁଙ୍କ ଜାମିନ ଆବେଦନ ଖାରଜ

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ଭୀମସେନ ପ୍ରସାଦ ଟୁଡୁଙ୍କ ଜାମିନ ଆବେଦନକୁ କଟକ ଅତିରିକ୍ତ ଦୌରା ଜଜ ତଥା ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଖାରଜ କରିଛନ୍ତି। ମାମଲାର ତଦନ୍ତ ଏବେ ବି ଜାରି ରହିଥିବା ବେଳେ ଜାମିନରେ ମୁକ୍ତ ହେଲେ ଅଭିଯୁକ୍ତ ତଦନ୍ତରେ ଅସହଯୋଗ କରିବା ସହ ସାକ୍ଷୀଙ୍କୁ ପ୍ରଭାବିତ କରିବାର ଆଶଙ୍କା ଥିବାରୁ ଅଦାଲତ ଜାମିନ ଦେବାକୁ ମନା କରିଛନ୍ତି।

ଅଦାଲତ ଏହି ଘଟଣାର ସାମାଜିକ ପ୍ରଭାବ ଓ ଅଭିଯୁକ୍ତଙ୍କ ବିରୋଧରେ ଆସିଥିବା ଗୁରୁତର ଅଭିଯୋଗକୁ ବିଚାରକୁ ନେଇ ଏହି ନିଷ୍ପତ୍ତି ଦେଇଛନ୍ତି। ପୀଡ଼ିତାଙ୍କ ମୃତଦେହ ଗତ ଜୁନ ୪ ତାରିଖରେ କାଠଯୋଡ଼ି ନଦୀରେ ଭାସୁଥିବା ଅବସ୍ଥାରେ ମିଳିବା ପରେ ପରିବାର ପକ୍ଷରୁ ବାରଙ୍ଗ ଥାନାରେ ଏତଲା ଦାଖଲ କରାଯାଇଥିଲା। ପୁଲିସ ଜୁନ ୧୩ରେ ଭୀମସେନ ପ୍ରସାଦ ଟୁଡୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପୂର୍ବରୁ ନିମ୍ନ ଅଦାଲତରେ ତାଙ୍କ ଜାମିନ ଖାରଜ ହେବା ପରେ ସେ ଦୌରା ଅଦାଲତରେ ପୁନର୍ବାର ଆବେଦନ କରିଥିଲେ।

ମାମଲାର ପ୍ରାରମ୍ଭିକ ତଦନ୍ତ ଜାରି ରହିଥିବା ବେଳେ ଅଭିଯୁକ୍ତଙ୍କ ସମ୍ପୃକ୍ତି ନେଇ ପୁଲିସ ଅଧିକ ପ୍ରମାଣ ସଂଗ୍ରହ କରୁଥିବା ସରକାରୀ ପକ୍ଷ ଅଦାଲତଙ୍କୁ ଅବଗତ କରାଇଥିଲେ। ଏହି ମାମଲାରେ ପ୍ରଥମେ ବିଏନଏସ୍‌ର ଧାରା ୧୦୮ ଓ ୩(୫)ରେ ମାମଲା ରୁଜୁ ହୋଇଥିବା ବେଳେ ପରେ ଧାରା ୬୯ ମଧ୍ୟ ଯୋଡ଼ାଯାଇଛି। ଉଲ୍ଲେଖଯୋଗ୍ୟ, ଗିରଫ ପରେ ଗତ ଜୁନ ୨୭ରେ ଭୀମସେନ ପ୍ରସାଦ ଟୁଡୁଙ୍କୁ ସରକାରୀ ଚାକିରିରୁ ବହିଷ୍କାର କରାଯାଇଥିଲା। ସେ ଓଡ଼ିଶା ଟ୍ୟାକ୍ସେସନ୍ ଓ ଆକାଉଣ୍ଟସ୍ ସର୍ଭିସର ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ