ଖରାପ ପାଗ ଯୋଗୁଁ ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ
ଖରାପ ପାଗ କାରଣରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ କରାଯାଇଛି। ଏନେଇ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି। ଆସନ୍ତାକାଲି ଅମିତ ଶାହ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିଲା, ମାତ୍ର ପ୍ରତିକୂଳ ପାଗ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଛି।
ଅମିତ ଶାହଙ୍କ ଗସ୍ତ ଅବସରରେ ରାଜ୍ୟକୁ ଏକାଧିକ ବିକାଶମୂଳକ ପ୍ରକଳ୍ପର ଭେଟି ମିଳିବାକୁ ଥିଲା। ବରଗଡ଼ରେ ଏକ ବୃହତ୍ ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ସହ ବଡ଼ମ୍ବା, ବଲାଙ୍ଗୀର ଓ ନୟାଗଡ଼ ଚିନିକଳର ପୁନରୁଦ୍ଧାର କାର୍ଯ୍ୟର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଥିଲା। ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା।
ଏହାବ୍ୟତୀତ ଭୁବନେଶ୍ୱରରେ ତ୍ରିଭୁବନ ସମବାୟ ବିଶ୍ୱବିଦ୍ୟାଳୟର ଏକ ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ, ହୀରାକୁଦରେ ୧୦୦ କୋଟି ଟଙ୍କା ବ୍ୟୟରେ ପୂର୍ବ ଭାରତର ପ୍ରଥମ ସମନ୍ୱିତ ଆକ୍ୱା ପାର୍କ ଏବଂ ବାଲେଶ୍ୱରର ବସ୍ତା ଓ ଭୁବନେଶ୍ୱରର ପାଣ୍ଡରାରେ ଅତ୍ୟାଧୁନିକ ମତ୍ସ୍ୟ ବଜାରର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଥିଲା। ଗସ୍ତ ବାତିଲ ହେବା ପରେ ଏହି କାର୍ଯ୍ୟକ୍ରମଗୁଡ଼ିକର ନୂଆ ତାରିଖ ପରେ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।

