ମୋଦୀ-ତାକାଇଚିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ: ନିବେଶ, ପ୍ରତିରକ୍ଷା ଓ ସେମିକଣ୍ଡକ୍ଟର ସହଯୋଗ ଉପରେ ଗୁରୁତ୍ୱ
ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚିଙ୍କ ମଧ୍ୟରେ ଗୁରୁବାର ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକ ପରେ ଉଭୟ ଦେଶ ମଧ୍ୟରେ ଏକ ସହଯୋଗ ସ୍ମାରକପତ୍ରରେ ସ୍ୱାକ୍ଷର ହୋଇଥିଲା। ୧୬ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀ ଅବସରରେ ଆୟୋଜିତ ଏହି ବୈଠକରେ ନିବେଶ, ପ୍ରତିରକ୍ଷା, ସେମିକଣ୍ଡକ୍ଟର, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ସାମୁଦ୍ରିକ ସୁରକ୍ଷା ଓ ଯୋଗାଣ ଶୃଙ୍ଖଳ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଜାପାନର ପ୍ରଧାନମନ୍ତ୍ରୀ ହେବା ପରେ ସାନାଇ ତାକାଇଚିଙ୍କ ଏହା ପ୍ରଥମ ଭାରତ ଗସ୍ତ। ତିନି ଦିନିଆ ଗସ୍ତ ସମୟରେ ସେ ଭାରତ-ଜାପାନ ବିଜନେସ୍ ଫୋରମରେ ମଧ୍ୟ ଯୋଗଦେବେ। ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାରରେ ଆମେରିକୀୟ ଡଲାର ବଦଳରେ ଭାରତୀୟ ଟଙ୍କା ଓ ଜାପାନୀ ୟେନର ବ୍ୟବହାର ବଢ଼ାଇବାକୁ ମଧ୍ୟ ଆଲୋଚନା ହୋଇଛି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ଦୁଇ ଦେଶର କମ୍ପାନୀ ସିଧାସଳଖ ସ୍ଥାନୀୟ ମୁଦ୍ରାରେ କାରବାର କରିପାରିବେ।
ଭାରତ ଓ ଜାପାନ ମଧ୍ୟରେ ଆର୍ଥିକ ସମ୍ପର୍କ କ୍ରମାଗତ ଭାବେ ମଜବୁତ ହେଉଛି। ୨୦୨୫-୨୬ ଆର୍ଥିକ ବର୍ଷରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ୨୭.୫ ବିଲିୟନ ଡଲାରରେ ପହଞ୍ଚିଥିବା ବେଳେ ଜାପାନ ଭାରତରେ ୩.୨ ବିଲିୟନ ଡଲାର ନିବେଶ କରିଛି। ଶୁକ୍ରବାର ମୋଦୀ ଓ ତାକାଇଚି ହରିୟାଣାର ଖାରଖୋଡାରେ ମାରୁତି ସୁଜୁକିର ନୂଆ ଉତ୍ପାଦନ କେନ୍ଦ୍ରର ଉଦ୍ଘାଟନ କରିବେ। ୩୫ ହଜାର କୋଟି ଟଙ୍କା ବିନିଯୋଗରେ ନିର୍ମିତ ଏହି କାରଖାନାରେ ପ୍ରତିବର୍ଷ ୧୦ ଲକ୍ଷ ଯାନ ଉତ୍ପାଦନ ସହ ୨୧ ହଜାରରୁ ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

