ଋଣ ସବସିଡି ଟଙ୍କା ହଡ଼ପ ଅଭିଯୋଗ, ବିଷ ବୋତଲ ଧରି ବ୍ୟାଙ୍କ୍ ଆଗରେ ମହିଳାଙ୍କ ଆତ୍ମହତ୍ୟା ଧମକ
ବାଲେଶ୍ୱର ଜିଲ୍ଲା ଭୋଗରାଇର ଚନ୍ଦନେଶ୍ୱରସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ମୁଖରେ ଜଣେ ମହିଳା ବିଷ ବୋତଲ ଧରି ଆତ୍ମହତ୍ୟା କରିବାକୁ ଧମକ ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ବ୍ୟାଙ୍କ ପରିସରରେ ଉତ୍ତେଜନା ଦେଖାଦେଇଛି।
ମହିଳାଙ୍କ ଅଭିଯୋଗ ଅନୁଯାୟୀ, ସେ ବ୍ୟାଙ୍କରୁ ପ୍ରାୟ ୭ ଲକ୍ଷ ୫୬ ହଜାର ଟଙ୍କାର ଋଣ ନେଇଥିଲେ। ଋଣ ବାବଦରେ ମିଳିବାକୁ ଥିବା ସବସିଡି ଟଙ୍କାକୁ ବ୍ୟାଙ୍କ ମ୍ୟାନେଜର ହଡ଼ପ କରିଥିବା ନେଇ ସେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ସେ ବ୍ୟାଙ୍କ ମ୍ୟାନେଜରଙ୍କୁ ଅଟକ ରଖିବା ସହ ତାଙ୍କ ପ୍ରାପ୍ୟ ଟଙ୍କା ନମିଳିଲେ ବିଷ ପିଇ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି।
ତେବେ ମହିଳା ଜଣକ ୭ ଲକ୍ଷ ୫୬ ହଜାର ଟଙ୍କାର ଋଣ ନେଇଥିବା ବେଳେ ବ୍ୟାଙ୍କ ପକ୍ଷରୁ ତାଙ୍କୁ କେବଳ ୪ ଲକ୍ଷ ୫୬ ହଜାର ଟଙ୍କା ଦିଆଯାଇଥିଲା। ଅବଶିଷ୍ଟ ୩ ଲକ୍ଷ ଟଙ୍କା ଉଠାଇବାକୁ ଦିଆଯାଇନଥିବା ସେ ଅଭିଯୋଗ କରିଛନ୍ତି। ମହିଳା ଏନେଇ ବାରମ୍ବାର ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରି ଆସୁଛନ୍ତି କିନ୍ତୁ ଏହାର କୌଣସି ସମାଧାନ ହୋଇନାହିଁ। ଫଳରେ ସେ ବାଧ୍ୟ ହୋଇ ଏଭଳି ପ୍ରତିବାଦ କରିଥିବା କହିଛନ୍ତି।

