ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତିରେ କାହିଁକି ହେଉଛି ବିଳମ୍ବ! ପାଣ୍ଠି ମଞ୍ଜୁରି ପାଇଁ ମାସକରେ ଦୁଇଥର ଚିଠି, ମିଳୁନାହିଁ ସମ୍ମତି
୨୦୨୭ ପଞ୍ଚାୟତ ସାଧାରଣ ପଞ୍ଚାୟତ ନିର୍ବାଚନ ପାଇଁ ସରକାରୀ ପ୍ରସ୍ତୁତିକୁ ନେଇ ବଡ ପ୍ରଶ୍ନ ଉଠିଛି। ବାଲାଟ୍ ପେପର ଛପା ପାଇଁ ଆବଶ୍ୟକ ୱାଟରମାର୍କ କାଗଜ କ୍ରୟ ନିମନ୍ତେ ପାଣ୍ଠି ବରାଦ ପାଇଁ ରାଜ୍ୟ ମୁଦ୍ରଣ, ଲେଖନ ସାମଗ୍ରୀ ଓ ପ୍ରକାଶନ ନିର୍ଦ୍ଦେଶାଳୟ ମାସକ ମଧ୍ୟରେ ଦୁଇଥର ରାଜ୍ୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅନୁମୋଦନ ମିଳିନାହିଁ। ଯାହା ଫଳରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇପାରୁନଥିବା ଜଣାପଡ଼ିଛି। ଏହାକୁ ନେଇ ଶାସକ ଦଳ ଉପରେ ଉଠିଛି ଗମ୍ଭୀର ପ୍ରଶ୍ନ | ଶାସକ ଦଳ ନିର୍ଧାରିତ ସମୟରେ ପଞ୍ଚାୟତ ନିର୍ବାଚନ କରିବାକୁ ଚାହୁଁଛନ୍ତି କି ନା ସେନେଇ ଆଲୋଚନା ହେଉଛି |
ମିଳିଥିବା ସୂଚନା ଅନୁସାରେ, ମୁଦ୍ରଣ ନିର୍ଦ୍ଦେଶାଳୟ ପ୍ରଥମେ ଜୁନ୍ ୧୦, ୨୦୨୬ରେ ପାଣ୍ଠି ବରାଦ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ଅନୁମୋଦନ ଲୋଡ଼ିଥିଲା। ତିନି ସପ୍ତାହ ପରେ ମଧ୍ୟ କୌଣସି ସମ୍ମତି ନମିଳିବାରୁ ଜୁଲାଇ ୨ରେ ନିର୍ଦ୍ଦେଶକ ଦୀପ୍ତେଶ କୁମାର ପଟ୍ଟନାୟକ ପୁଣି ଏକ ସ୍ମାରକ ପତ୍ର ଲେଖି ଶୀଘ୍ର ପାଣ୍ଠି ମଞ୍ଜୁରି ପାଇଁ ଅନୁରୋଧ କରିଛନ୍ତି। ନିର୍ଦ୍ଦେଶାଳୟ କହିଛି ଯେ, ପାଣ୍ଠି ଅନୁମୋଦନ ମିଳିବା ପରେ ହିଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ।
ନିର୍ଦ୍ଦେଶାଳୟର ସୂଚନା ଅନୁଯାୟୀ, ୱାର୍ଡ ସଦସ୍ୟ, ସରପଞ୍ଚ ଓ ପଞ୍ଚାୟତ ସମିତି ସଦସ୍ୟଙ୍କ ବାଲାଟ୍ ପେପର ପାଇଁ ପ୍ରାୟ ୮୭ ମେଟ୍ରିକ ଟନ୍ ଏବଂ ଜିଲ୍ଲା ପରିଷଦ ସଦସ୍ୟଙ୍କ ପାଇଁ ପ୍ରାୟ ୯୪ ମେଟ୍ରିକ ଟନ୍ ୱାଟରମାର୍କ କାଗଜ ଆବଶ୍ୟକ ହେବ। ଚାରି ପ୍ରକାର ରଙ୍ଗର ବାଲାଟ୍ ପେପର ପାଇଁ ଟେଣ୍ଡର ମାଧ୍ୟମରେ ଏହି କାଗଜ କ୍ରୟ କରାଯିବ। ତେବେ ଦୁଇଟି ସରକାରୀ ପତ୍ର ସତ୍ତ୍ୱେ ପାଣ୍ଠି ମଞ୍ଜୁରି ନମିଳିବାରୁ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତିର ଗତିକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ତେବେ ଏପର୍ଯ୍ୟନ୍ତ ଏହି ବିଳମ୍ବର କାରଣ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।

