ଧ୍ରୁବ ରାଠୀଙ୍କ ଭିଡିଓକୁ ନେଇ ବଢ଼ିଲା ଅଡୁଆ! ଦିଲ୍ଲୀ ହାଇକୋର୍ଟରେ ରୁଜୁ ହେଲା ମାମଲା
ୟୁଟ୍ୟୁବର ତଥା ସୋସିଆଲ ମିଡିଆ କଣ୍ଟେଣ୍ଟ କ୍ରିଏଟର ଧ୍ରୁବ ରାଠୀଙ୍କ ଏକ ଭିଡିଓକୁ ନେଇ ନୂଆ ବିବାଦ ସୃଷ୍ଟି ହୋଇଛି | ‘Can Hindus Eat Beef?’ ଶୀର୍ଷକ ଭିଡିଓରେ ଭଗବାନ ରାମ, ମାତା ସୀତା ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ସମ୍ପର୍କରେ କରାଯାଇଥିବା କିଛି ଦାବିକୁ ନେଇ ଆପତ୍ତି ଉଠିଛି। ଏହି ପ୍ରସଙ୍ଗକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଦାଖଲ ହୋଇଥିବା ବେଳେ ଭିଡିଓଟିକୁ ସୋସିଆଲ ମିଡିଆରୁ ହଟାଇବା ସହ ଆବଶ୍ୟକ ଆଇନଗତ ପଦକ୍ଷେପ ନେବାକୁ ଦାବି କରାଯାଇଛି।
ଆବେଦନକାରୀଙ୍କ ଅଭିଯୋଗ ଅନୁସାରେ, ଭିଡିଓରେ ହିନ୍ଦୁ ଧର୍ମର ଆସ୍ଥା ଏବଂ ପୂଜ୍ୟ ଦେବଦେବୀଙ୍କ ସମ୍ପର୍କରେ ଅପମାନଜନକ ଓ ବିବାଦୀୟ ଟିପ୍ପଣୀ କରାଯାଇଛି, ଯାହା ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇଛି। ଏହି ମାମଲାର ଶୁଣାଣି କରିବା ସମୟରେ ଦିଲ୍ଲୀ ହାଇକୋର୍ଟ ସମ୍ପୃକ୍ତ ପକ୍ଷମାନଙ୍କଠାରୁ ଜବାବ ମାଗିଛନ୍ତି । ତେବେ ଏପର୍ଯ୍ୟନ୍ତ କୋର୍ଟ ପକ୍ଷରୁ ଭିଡିଓ ହଟାଇବା କିମ୍ବା ଧ୍ରୁବ ରାଠୀଙ୍କ ବିରୋଧରେ କୌଣସି ଅନ୍ତରୀଣ କିମ୍ବା ଅନ୍ତିମ ନିର୍ଦ୍ଦେଶ ଜାରି କରାଯାଇନାହିଁ।
କିନ୍ତୁ ସାମାଜିକ ଗଣମାଧ୍ୟମରେ ଭିଡିଓ ପ୍ରକାଶ ପାଇବା ପରେ ଏହାକୁ ନେଇ ତୀବ୍ର ଚର୍ଚ୍ଚା ଆରମ୍ଭ ହୋଇଛି। କେତେକ ବ୍ୟବହାରକାରୀ ଧ୍ରୁବ ରାଠୀଙ୍କ ଉପସ୍ଥାପିତ ମତକୁ ସମର୍ଥନ କରୁଥିବା ବେଳେ ଅନ୍ୟମାନେ ଏହାକୁ ଧର୍ମୀୟ ଭାବନା ପ୍ରତି ଆଘାତ ବୋଲି ଦର୍ଶାଇଛନ୍ତି। ଭିଡିଓରେ ଉଲ୍ଲେଖ ହୋଇଥିବା ଐତିହାସିକ ଓ ଧର୍ମଗ୍ରନ୍ଥ ସମ୍ବନ୍ଧୀୟ ଦାବିକୁ ନେଇ ମଧ୍ୟ ମତଭେଦ ଦେଖାଦେଇଛି। ମାମଲାଟି ବର୍ତ୍ତମାନ ବିଚାରାଧୀନ ଥିବାରୁ କୋର୍ଟର ପରବର୍ତ୍ତୀ ଶୁଣାଣି ଓ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି।

