ପୋଲିସକୁ ଖୋଲା ଚ୍ୟାଲେଞ୍ଜ, ପୂର୍ବ ଶତ୍ରୁତାକୁ ନେଇ ଖଣ୍ଡା-ଭୁଜାଲି ଧରି ଆତଙ୍କ ଖେଳାଇଲେ ଦୁଇ ଗୋଷ୍ଠୀ
ଭୁବନେଶ୍ୱରରେ ପୁଣି ଥରେ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିଛନ୍ତି ଦୁର୍ବୃତ୍ତ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ନୀଳାଦ୍ରିବିହାରସ୍ଥିତ ବୁଦ୍ଧବିହାର ଓ ଇଶାନେଶ୍ୱର ବସ୍ତିରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି | ଦୁର୍ବୃତ୍ତମାନେ ଖୋଲାଖୋଲି ଖଣ୍ଡା ଓ ଭୁଜାଲି ଧରି ଆତଙ୍କ ଖେଳାଇଥିବା ବେଳେ ଏହି ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।
ସୂଚନା ଅନୁଯାୟୀ, ରାତି ପ୍ରାୟ ସାଢ଼େ ୯ଟା ସମୟରେ ୧୫ରୁ ଅଧିକ ମୁଖାପିନ୍ଧା ଯୁବକ ହାତରେ ମାରଣାସ୍ତ୍ର ଧରି ବୁଦ୍ଧବିହାର ଅଞ୍ଚଳରେ ପ୍ରବେଶ କରିଥିଲେ। ସେମାନେ ସାମ୍ନାରେ ଯାହାକୁ ପାଇଥିଲେ, ତାଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଦୁଇ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ପରେ ଦୁର୍ବୃତ୍ତମାନେ ସେଠାରୁ ଫେରାର ହୋଇଯାଇଥିଲେ।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ପୂର୍ବ ଦିନ ଘଟିଥିବା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଏହି ହିଂସାକାଣ୍ଡ ଘଟାଯାଇଛି। ଲଗାତାର ଦୁଇ ଦିନ ଧରି ସମାନ ଅଞ୍ଚଳରେ ଗ୍ୟାଙ୍ଗ ୱାର ଘଟିବା କମିଶନରେଟ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପୋଲିସ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ତଦନ୍ତ ଆରମ୍ଭ କରିଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଉତ୍ତେଜନାର ପରିସ୍ଥିତି ସୃଷ୍ଟି ହୋଇଛି।

