କେନ୍ଦ୍ର ମନ୍ତ୍ରିମଣ୍ଡଳରେ ହୋଇପାରେ ବଡ ଧରଣର ଅଦଳବଦଳ; ନିର୍ମଳାଙ୍କୁ ମିଳିପାରେ ଶିକ୍ଷା ବିଭାଗ!
କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଖୁବଶୀଘ୍ର ବଡ଼ଧରଣର ଅଦଳବଦଳ ହୋଇପାରେ ବୋଲି ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଗତ କିଛି ଦିନ ଧରି ଦିଲ୍ଲୀରେ ଚାଲିଥିବା ବୈଠକ ଓ ଆଲୋଚନା ପରେ କିଛି କେନ୍ଦ୍ରମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ସହ କିଛି ନୂଆ ମୁହଁଙ୍କୁ ମୋଦୀ ସରକାରରେ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।
ସୂତ୍ର ଅନୁସାରେ, ବର୍ତ୍ତମାନର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ମିଳିପାରେ। ସେହିପରି ପୀୟୂଷ ଗୋୟଲଙ୍କୁ ଅର୍ଥ ବିଭାଗର ଦାୟିତ୍ୱ ମିଳିବା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ଏହାସହ ନୀତିଶ କୁମାର, ଅନୁରାଗ ଠାକୁର, ରାଘବ ଚଢା, ତରୁଣ ଚୁଗ୍ ଓ ଶ୍ରୀକାନ୍ତ ସିନ୍ଦେଙ୍କ ନାମ ମଧ୍ୟ ସମ୍ଭାବ୍ୟ ତାଲିକାରେ ଥିବା ନେଇ ଚର୍ଚ୍ଚା ହେଉଛି।
ଏହା ମଧ୍ୟରେ ଦିଲ୍ଲୀ ବୈଠକ ପରେ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ଓଡ଼ିଶାର ବିକାଶ, ସାଂଗଠନିକ ସୁଦୃଢ଼ୀକରଣ ଓ ଆଗାମୀ କାର୍ଯ୍ୟପନ୍ଥା ନେଇ ଆଲୋଚନା ହୋଇଥିବା କଥା ଜଣାଇଥିଲେ। ଶୁକ୍ରବାର ଦିଲ୍ଲୀରୁ ଫେରି ବିଜେପି ରାଜ୍ୟ ସଭାପତିଙ୍କ ବୟାନ ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ବିଭାଗ ଅଦଳବଦଳ ହେବା ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି। ତେବେ ସରକାର କିମ୍ବା ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ ଏନେଇ କୌଣସି ସ୍ପଷ୍ଟ ଘୋଷଣା କରାଯାଇନାହିଁ।

