ଯୌତୁକ ନ ମିଳିବାରୁ, ଗର୍ଭବତୀ ସ୍ତ୍ରୀଙ୍କୁ ଏସିଡ୍ ପିଆଇ ହତ୍ୟା କଲା ସ୍ୱାମୀ!
ମଧ୍ୟପ୍ରଦେଶର ଗ୍ୱାଲିୟର ଜିଲ୍ଲାରୁ ଯୌତୁକ ନିର୍ଯାତନାର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଦାମୀ କାର୍ ଓ ଲକ୍ଷାଧିକ ଟଙ୍କା ଯୌତୁକ ଦାବି ପୂରଣ ନ ହେବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ଏସିଡ୍ ପିଆଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଗ୍ୱାଲିୟରର ଥାଟିପୁର ଥାନା ଅନ୍ତର୍ଗତ ନ୍ୟୁ ମେହେର କଲୋନୀର ବାସିନ୍ଦା ନିଶା ରାଠୋର।
ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁସାରେ, ବିବାହର କିଛି ମାସ ପରେ ନିଶାଙ୍କୁ ଅଧିକ ଯୌତୁକ ଆଣିବା ପାଇଁ ସ୍ୱାମୀ ଓ ଶାଶୁଘର ଲୋକେ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ସେମାନଙ୍କ ଦାବି ଥିଲା ଏକ ଦାମୀ କାର୍ ଓ ଲକ୍ଷାଧିକ ଟଙ୍କା। ଜୁନ୍ ୨୨ ତାରିଖରେ ନିଶାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ତାଙ୍କର ମୃତ୍ୟୁ ଘଟିଥିଲା।
ମୃତ୍ୟୁ ପୂର୍ବରୁ ନିଶା ନିଜ ପରିବାର ଲୋକଙ୍କୁ ଏକ ଭିଡିଓ ପଠାଇଥିଲେ। ସେଥିରେ ସେ ଅତ୍ୟନ୍ତ ଅସୁସ୍ଥ ଓ ଦୁର୍ବଳ ଅବସ୍ଥାରେ ଥିବାର ଜଣାପଡୁଥିଲା ଏବଂ ଭିଡିଓରେ ତାଙ୍କ ସହ ସ୍ୱାମୀଙ୍କ ନିର୍ଯାତନା ବିଷୟରେ କହିଥିଲେ। ପରିବାର ପକ୍ଷରୁ ସ୍ୱାମୀ ଓ ଶାଶୁଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନା ଓ ହତ୍ୟା ଅଭିଯୋଗ ଦାଖଲ କରାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

