ଭୁବନେଶ୍ୱର ଡିସିପି ପଦରୁ ଇସ୍ତଫା ଦେଲେ ଜଗମୋହନ ମୀନା, ବ୍ୟକ୍ତିଗତ କାରଣ ଦର୍ଶାଇଲେ ଡିଜିପି
ଭୁବନେଶ୍ୱର ଡିସିପି ତଥା ୨୦୧୩ ବ୍ୟାଚର ଆଇପିଏସ୍ ଅଧିକାରୀ ଜଗମୋହନ ମୀନା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହି ସୂଚନାକୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ୱାଇ. ବି. ଖୁରାନିଆ ସ୍ପଷ୍ଟ କରିଛନ୍ତି। ତାଙ୍କ କହିବା ଅନୁସାରେ, ଜଗମୋହନ ମୀନା ବ୍ୟକ୍ତିଗତ କାରଣରୁ ପଦବୀ ଛାଡିଛନ୍ତି । ସରକାରଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର ପଠାଯାଇଥିବା ମଧ୍ୟ ଡିଜିପି ସୂଚନା ଦେଇଛନ୍ତି।
ଜଗମୋହନ ମୀନା ବର୍ତ୍ତମାନ ଭୁବନେଶ୍ୱର ଡିସିପି ଭାବେ ଆଇନ-ଶୃଙ୍ଖଳା ଦାୟିତ୍ୱ ସମ୍ଭାଳୁଥିଲେ। ଏହା ପୂର୍ବରୁ ସେ କଟକ ଡିସିପି, ଅନୁଗୁଳ ଏସ୍ପି ଏବଂ ଗଞ୍ଜାମ ଏସ୍ପି ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରି ସଫଳତାର ସହ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ଇସ୍ତଫାକୁ ନେଇ ପ୍ରଶାସନିକ ମହଲରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।
ଏପଟେ, ଜଗମୋହନ ମୀନା ଇସ୍ତଫା ପରେ ଏକ ଘରୋଇ କମ୍ପାନୀରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ପ୍ରକାଶ ହୋଇନାହିଁ | ତେବେ ଡିଜିପି ପୁଣିଥରେ ସ୍ପଷ୍ଟ କରିଛନ୍ତି ଯେ, ନିଜର ବ୍ୟକ୍ତିଗତ କାରଣରୁ ଡିସିପି ତାଙ୍କ ପଦତ୍ୟାଗ କରିବାର ନିଷ୍ପତ୍ତି ନେଇଛନ୍ତି।

