ପାରିବାରିକ କଳହର କରୁଣ ପରିଣତି,ତାୱାରେ ଆକ୍ରମଣ କରି ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ
ନୂଆଦିଲ୍ଲୀର ବାବା ହରିଦାସ ନଗର ଅଞ୍ଚଳରେ ଘଟିଥିବା ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ପରସ୍ପର ମଧ୍ୟରେ ଚାଲିଥିବା ସାମାନ୍ୟ ଯୁକ୍ତିତର୍କକୁ କେନ୍ଦ୍ର କରି ଜଣେ ସ୍ୱାମୀ ରୋଷେଇ ଘରର ତାୱାରେ ପତ୍ନୀଙ୍କ ମୁଣ୍ଡକୁ ଆକ୍ରମଣ କରି ହତ୍ୟା କରିଛନ୍ତି। ଘଟଣା ପରେ ଅଭିଯୁକ୍ତ ଦିନେଶ ପଟେଲ ନିଜେ ଥାନାରେ ପହଞ୍ଚି ଅପରାଧ ସ୍ୱୀକାର କରି ଆତ୍ମସମର୍ପଣ କରିଥିଲେ। ପୁଲିସ ଘଟଣାସ୍ଥଳରୁ ରକ୍ତାକ୍ତ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଦିନେଶ ପଟେଲ ଜଣେ ଆଇଟି ପ୍ରଫେସନାଲ ହୋଇଥିଲେ ମଧ୍ୟ ଗତ ତିନି ମାସ ଧରି ବେକାର ଥିଲେ। ସେ ‘ସିଜୋଫ୍ରେନିଆ’ ନାମକ ମାନସିକ ରୋଗରେ ପୀଡ଼ିତ ଥିବା କହିଛନ୍ତି। ୨୦୦୫ ମସିହାରେ ସରିତାଙ୍କ ସହ ତାଙ୍କର ବିବାହ ହୋଇଥିଲା ଏବଂ ସେମାନଙ୍କର ଦୁଇ ପୁଅ ମଧ୍ୟ ଅଛନ୍ତି। ନିକଟରେ ସ୍ତ୍ରୀଙ୍କ ପିତାମାତା ଘର ନିକଟକୁ ଆସି ରହିବା ପରଠାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ବିବାଦ ଲାଗି ରହୁଥିଲା। ରବିବାର ସକାଳର ବିବାଦ ଉଗ୍ର ରୂପ ନେବା ପରେ ଦିନେଶ କ୍ରୋଧରେ ଏହି ହତ୍ୟାକାଣ୍ଡ ଘଟାଇଥିବା ପୁଲିସ କହିଛି।
ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ହତ୍ୟାରେ ବ୍ୟବହୃତ ତାୱାକୁ ଜବତ କରିଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇ ମାମଲା ରୁଜୁ ହୋଇଥିବା ବେଳେ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଛି। ତେବେ ଅଭିଯୁକ୍ତଙ୍କ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ଦାବିର ସତ୍ୟତା ମଧ୍ୟ ପୁଲିସ ଯାଞ୍ଚ କରୁଛି।

