ଭାରତରେ ମିଶିବ PoK! ଲଣ୍ଡନରେ ପାକ୍ ଦୂତାବାସ ସମ୍ମୁଖରେ ପିଓକେବାସୀଙ୍କ ବିକ୍ଷୋଭ
ପୂର୍ବରୁ ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ପାକିସ୍ତାନ ବିରୋଧୀ ଆନ୍ଦୋଳନ ଦେଖିବାକୁ ମିଳୁଥିଲା | ଧୀରେ ଧୀରେ ଏବେ ଏହାର ପ୍ରଭାବ ଏବେ ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି। ଲଣ୍ଡନରେ ହଜାର ହଜାର ପ୍ରବାସୀ କାଶ୍ମୀରୀ ‘କାଶ୍ମୀର ମିଲିଅନ୍ ମାର୍ଚ୍ଚ’ରେ ଯୋଗ ଦେଇ ପାକିସ୍ତାନ ହାଇକମିଶନ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ପ୍ରଦର୍ଶନକାରୀମାନେ ପାକିସ୍ତାନ ସରକାର ଓ ସେନା ବିରୋଧରେ ସ୍ଲୋଗାନ ଦେବା ସହ PoKର ସ୍ୱାଧୀନତା ଏବଂ ଲୋକଙ୍କ ଅଧିକାର ଦାବି କରିଛନ୍ତି। ସେମାନେ ଜାକ୍ ନେତା ସୌକତ ନୱାଜ ମୀରଙ୍କ ଗିରଫଦାରୀକୁ ମଧ୍ୟ କଡ଼ା ନିନ୍ଦା କରିଛନ୍ତି।
ଜମ୍ମୁ କାଶ୍ମୀର ନ୍ୟାଶନାଲ ଇଣ୍ଡିପେଣ୍ଡେନ୍ସ ଆଲୟାନ୍ସର ମୁଖ୍ୟ ମହମ୍ମୁଦ କାଶ୍ମୀରି କହିଛନ୍ତି ଯେ,ପାକିସ୍ତାନ ଅଧିକୃତ କାଶ୍ମୀରର ଲୋକଙ୍କ ଉପରେ ହେଉଥିବା ଦମନ ନୀତି ବିରୋଧରେ ବିଶ୍ୱବ୍ୟାପୀ ଆନ୍ଦୋଳନ ଜାରି ରହିବ। ସେମାନଙ୍କ ଅଭିଯୋଗ, ପାକିସ୍ତାନ ସେନା ସ୍ଥାନୀୟ ଲୋକଙ୍କ ସ୍ୱରକୁ ଦମନ କରିବାକୁ ଚେଷ୍ଟା କରୁଛି। ତଥାପି ସେମାନେ ଆନ୍ଦୋଳନରୁ ପଛକୁ ହଟିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
ଏପଟେ, ନିୟନ୍ତ୍ରଣ ରେଖା (LoC) ନିକଟସ୍ଥ ତିତ୍ରିନୋଟ ଅଞ୍ଚଳରେ ମଧ୍ୟ ପାକିସ୍ତାନ ବିରୋଧରେ ବିକ୍ଷୋଭ ଦେଖିବାକୁ ମିଳିଛି। ବିକ୍ଷୋଭକାରୀମାନେ ପାକିସ୍ତାନ ସରକାର ଓ ସେନା ବିରୋଧରେ ନାରାବାଜି କରିବା ସହ ଭାରତ ସହ ପୁନର୍ମିଳନର ଦାବି ଉଠାଇଥିବା ଦାବି କରାଯାଉଛି। ଏହାପୂର୍ବରୁ ଆୱାମୀ ଆକ୍ସନ କମିଟି ମଧ୍ୟ ଆନ୍ଦୋଳନକୁ ତୀବ୍ର କରିବା ଏବଂ ଜମ୍ମୁ-କାଶ୍ମୀରର ଲୋକଙ୍କ ସମର୍ଥନ ଲୋଡ଼ିଥିଲା। ତେବେ PoKର ପରିସ୍ଥିତି ଏବଂ ଭାରତ ସହ ମିଶିବା ଦାବି ସମ୍ପର୍କରେ ବିଭିନ୍ନ ପକ୍ଷର ଭିନ୍ନ ଭିନ୍ନ ଦାବି ରହିଥିବା ବେଳେ, ଏହାର ଏପର୍ଯ୍ୟନ୍ତ ପ୍ରକୃତ ସମାଧାନ ହୋଇନାହିଁ |

