ପାକିସ୍ତାନ ବାୟୁସେନାର ଗୁଇନ୍ଦା ଅଧିକାରୀଙ୍କୁ ଗୁଳି କରି ହତ୍ୟା, ଘଟଣାକୁ ନେଇ ବଢ଼ିଲା ରହସ୍ୟ
ପାକିସ୍ତାନର ରାଜଧାନୀ ଇସଲାମାବାଦରେ ପାକିସ୍ତାନ ବାୟୁସେନାର ଜଣେ ବରିଷ୍ଠ ଗୁଇନ୍ଦା ଅଧିକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଅଧିକାରୀଙ୍କୁ ପାକିସ୍ତାନ ବାୟୁସେନା ଗୁଇନ୍ଦା ନିର୍ଦ୍ଦେଶାଳୟର ଗ୍ରୁପ୍ କ୍ୟାପଟେନ୍ ଆସିମ୍ ତାରିକ୍ ବୋଲି ଚିହ୍ନଟ କରାଯାଇଛି। ପୋଲିସର କହିବା ଅନୁସାରେ, ସେ ନିଜ କାରରେ ଥିବା ବେଳେ ଜଣେ ମହିଳାଙ୍କ ଅପହରଣକୁ ରୋକିବାକୁ ଯାଇଥିଲେ। ସେହି ସମୟରେ ଦୁର୍ବୃତ୍ତମାନେ ତାଙ୍କ ଉପରେ ଗୁଳି ଚଳାଇଥିଲେ। ଘଟଣାଟି ପାକିସ୍ତାନ ବାୟୁସେନା ମୁଖ୍ୟାଳୟ ନିକଟରେ ଘଟିଥିବା କୁହାଯାଇଛି।
ତେବେ ପୋଲିସ ଦେଇଥିବା ବିବରଣୀକୁ ନେଇ ବିଭିନ୍ନ ମହଲରେ ସନ୍ଦେହ ପ୍ରକାଶ ପାଇଛି। ଘଟଣାର ବିଭିନ୍ନ ଦିଗରେ ଅସଙ୍ଗତି ଥିବାରୁ ଏହା କେବଳ ଅପହରଣ ରୋକିବା ବେଳର ଘଟଣା ନା ଏହା ପଛରେ ଅନ୍ୟ କୌଣସି ଷଡ଼ଯନ୍ତ୍ର ରହିଛି, ସେନେଇ ପ୍ରଶ୍ନ ଉଠୁଛି। ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ହେଉଛି ଯେ, ଗ୍ରୁପ୍ କ୍ୟାପଟେନ୍ ଆସିମ୍ ତାରିକ୍ ନିକଟରେ ପାକିସ୍ତାନ ପକ୍ଷରୁ ଆଫଗାନିସ୍ତାନରେ ହୋଇଥିବା ବାୟୁସେନା ଆକ୍ରମଣର ଯୋଜନା ପ୍ରସ୍ତୁତିରେ ମୁଖ୍ୟ ଭୂମିକା ନିଭାଇ ଥିଲେ | ତେବେ ଏହି ଦାବିକୁ ପାକିସ୍ତାନ ସରକାର ସରକାରୀ ଭାବେ ସ୍ୱୀକାର କରିନାହାନ୍ତି।
ଏପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ ପରିଚୟ କିମ୍ବା ହତ୍ୟାର ପ୍ରକୃତ କାରଣ ସମ୍ପର୍କରେ ପୋଲିସ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ। ଇସଲାମାବାଦ ପରି ଉଚ୍ଚ ସୁରକ୍ଷା ବଳୟ ଥିବା ସହରରେ ଜଣେ ବରିଷ୍ଠ ବାୟୁସେନା ଗୁଇନ୍ଦା ଅଧିକାରୀଙ୍କୁ ଦିନଦ୍ୱିପ୍ରହରେ ଗୁଳି କରି ହତ୍ୟା କରାଯିବା ପାକିସ୍ତାନର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ପୋଲିସ ମାମଲାର ତଦନ୍ତ ଜାରି ରଖିଥିବା ବେଳେ ଫରେନ୍ସିକ୍ ପ୍ରମାଣ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ଘଟଣାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କୁହାଯାଇଛି।

