Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାୟବ ହେଲା ଅଯୋଧ୍ୟା ରାମ ମନ୍ଦିରରୁ ୫ କୋଟିର ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ! ପୂର୍ବତନ ଗୃହ ସଚିବଙ୍କ ସଙ୍ଗୀନ ଅଭିଯୋଗ

ଅଯୋଧ୍ୟାର ଶ୍ରୀରାମ ମନ୍ଦିରକୁ ନେଇ ଏକ ନୂଆ ବିବାଦ ସାମ୍ନାକୁ ଆସିଛି। ଦାନ ଅର୍ଥର ହେରଫେରକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ପୂର୍ବତନ କେନ୍ଦ୍ର ଗୃହ ସଚିବ ତଥା ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଏସ୍. ଲକ୍ଷ୍ମୀନାରାୟଣନ୍ ମନ୍ଦିରକୁ ଦାନ କରାଯାଇଥିବା ପ୍ରାୟ ୫ କୋଟି ଟଙ୍କା ମୂଲ୍ୟର ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ଗ୍ରନ୍ଥ ମନ୍ଦିର ଭିତରୁ ଗାଏବ ହୋଇଯାଇଥିବା ଅଭିଯୋଗ ଆଣିଛନ୍ତି | ତାଙ୍କ କହିବା ଅନୁସାରେ, ତାଙ୍କ ପରିବାର ପକ୍ଷରୁ ପ୍ରସ୍ତୁତ ଏହି ବିଶେଷ ଗ୍ରନ୍ଥକୁ ଏପ୍ରିଲ ୨୦୨୪ରେ ‘ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ’କୁ ଦାନ କରାଯାଇଥିଲା।

ଏହି ରାମଚରିତମାନସ ଗ୍ରନ୍ଥର ୫୨୨ଟି ପୃଷ୍ଠାରେ ୨୪ କ୍ୟାରେଟ୍ ସୁନାର ଆସ୍ତରଣ ଦିଆଯାଇଥିବା ବେଳେ ଗୋସ୍ୱାମୀ ତୁଳସୀଦାସଙ୍କ ସମସ୍ତ ୧୦,୯୦୨ଟି ଶ୍ଳୋକ ଏଥିରେ ସ୍ଥାନ ପାଇଥିଲା। ଗ୍ରନ୍ଥଟି ପ୍ରଥମେ ପ୍ରାୟ ପାଞ୍ଚ ମାସ ଧରି ଗର୍ଭଗୃହ ନିକଟରେ ଭକ୍ତଙ୍କ ଦର୍ଶନ ପାଇଁ ରଖାଯାଇଥିଲା। ପରେ ଏହାକୁ ସେଠାରୁ ହଟାଇ ଦିଆଯାଇଥିଲା। ଲକ୍ଷ୍ମୀନାରାୟଣନ୍ ଦାବି କରିଛନ୍ତି ଯେ, ଏତେ ବଡ଼ ଦାନ ପାଇଁ ତାଙ୍କୁ କୌଣସି ରସିଦ୍ ମଧ୍ୟ ଦିଆଯାଇନଥିଲା ଏବଂ ବାରମ୍ବାର ପଚାରିବା ସତ୍ତ୍ୱେ ଗ୍ରନ୍ଥଟିର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ସ୍ପଷ୍ଟ ଉତ୍ତର ମିଳିନାହିଁ।

ଏହି ଅଭିଯୋଗକୁ ନେଇ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ, ମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଦାନ ବା ଉପହାରକୁ ସବୁବେଳେ ପ୍ରଦର୍ଶନରେ ରଖିବା ସମ୍ଭବ ନୁହେଁ। ଅନ୍ୟପଟେ, ରାମ ମନ୍ଦିରର ଦାନ ଅର୍ଥ ଓ ସାମଗ୍ରୀର ଅନିୟମିତତା ନେଇ ଉତ୍ତର ପ୍ରଦେଶ ସରକାର ପୂର୍ବରୁ ଏକ ଏସ୍‌ଆଇଟି ଗଠନ କରିଛନ୍ତି। ଏଭଳି ସମୟରେ ଜଣେ ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ଏହି ଅଭିଯୋଗ ମାମଲାକୁ ଆହୁରି ଗମ୍ଭୀର କରିଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ