ମୋବାଇଲ୍ ଚାଟ୍କୁ ନେଇ ପ୍ରେମିକାଙ୍କୁ ହତ୍ୟା! ମୃତଦେହକୁ ୩ ଖଣ୍ଡ କରି ଭିନ୍ନ ଭିନ୍ନ ସ୍ଥାନରେ ଫିଙ୍ଗିଲା ନୃଶଂସ ପ୍ରେମିକ
ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାରୁ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ମୋବାଇଲ୍ ଚାଟ୍କୁ କେନ୍ଦ୍ର କରି ହୋଇଥିବା ବିବାଦ ପରେ ଜଣେ ୩୮ ବର୍ଷୀୟ ବିବାହିତା ମହିଳାଙ୍କୁ ତାଙ୍କ ପ୍ରେମିକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାପରେ ଧରାପଡ଼ିବା ଭୟରେ ଅଭିଯୁକ୍ତ ମୃତଦେହକୁ ଖଣ୍ଡଖଣ୍ଡ କରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲା। ପୁଲିସ ଏହି ଘଟଣାରେ ଗୁଜରାଟର ୪୨ ବର୍ଷୀୟ ହେମଲ ଖାଖରିଆ ଓରଫ ଦିଲୀପଙ୍କୁ ଏକ ପୁଲିସ ଏନ୍କାଉଣ୍ଟର ପରେ ଗିରଫ କରିଛି। ମୃତ ମହିଳାଙ୍କ ପରିଚୟ ରେଶ୍ମା ଖାନ ଓରଫ ସାନା ବୋଲି ଜଣାପଡ଼ିଛି।
ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ବାରାଣସୀର ବାବତପୁରରୁ ରେଶ୍ମାଙ୍କୁ ଜୌନପୁରର ଟିଚର୍ସ କଲୋନୀସ୍ଥିତ ଏକ ଭଡ଼ା ଘରକୁ ନେଇଥିଲା। ସେଠାରେ ମୋବାଇଲ୍ ଚାଟ୍କୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା। ରାଗରେ ଅଭିଯୁକ୍ତ ରାତିରେ ମହିଳା ଶୋଇଥିବା ସମୟରେ ଛୁରିରେ ତାଙ୍କ ଗଳା କାଟି ହତ୍ୟା କରିଥିଲା। ପରେ ମୃତଦେହକୁ ସହଜରେ ଲୁଚାଇବା ପାଇଁ ବଜାରରୁ କଳା ପଲିଥିନ୍ କିଣି ଏକ ଧାରୁଆ ଅସ୍ତ୍ରରେ ହାତ, ଗୋଡ଼ କାଟି ମୃତଦେହକୁ ତିନି ଭାଗରେ ବିଭକ୍ତ କରିଥିଲା। ରାନିପୁର ବାଇପାସ୍ ନିକଟରୁ ମହିଳାଙ୍କ ଦେହର ମୁଖ୍ୟ ଅଂଶ ଉଦ୍ଧାର ହୋଇଥିବାବେଳେ ଅନ୍ୟ ଅଂଶଗୁଡ଼ିକୁ ରାମନଗର ନିକଟସ୍ଥ ଏକ କଲଭର୍ଟ ପାଖରେ ଫିଙ୍ଗାଯାଇଥିବା ପୁଲିସ କହିଛି।
ଘଟଣାର ତଦନ୍ତ ସମୟରେ ପୁଲିସ ଗୁପ୍ତ ସୂଚନା ପାଇ ରାମନଗର ବ୍ଲକ୍ ଗେଟ୍ ନିକଟରେ ଅଭିଯୁକ୍ତକୁ ଅଟକାଇବାକୁ ଚେଷ୍ଟା କରିଥିଲା। ଏହି ସମୟରେ ସେ ପୁଲିସ ଉପରକୁ ଗୁଳି ଚଳାଇ ଫେରାର ହେବାକୁ ଉଦ୍ୟମ କରିଥିଲା। ଆତ୍ମରକ୍ଷା ପାଇଁ ପୁଲିସ ପାଲଟା ଗୁଳି ଚଳାଇବା ପରେ ଅଭିଯୁକ୍ତ ଆହତ ହୋଇ ଧରାପଡ଼ିଥିଲା। ତାଙ୍କ ନିକଟରୁ ଏକ ଦେଶୀ ପିସ୍ତଲ, two live cartridges, two spent cartridge ହତ୍ୟାରେ ବ୍ୟବହୃତ ଛୁରି, ମୃତଦେହର ଅବଶିଷ୍ଟ ଅଂଶ, ଏକ ମୋବାଇଲ୍ ଫୋନ୍ ଏବଂ ଏକ ମୋଟରସାଇକେଲ୍ ଜବତ କରାଯାଇଛି। ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

