ଫୁଟବଲ୍ ମ୍ୟାଚ୍ର ପ୍ରତିଶୋଧ ନେଲା ରକ୍ତାକ୍ତ ରୂପ; ୧୭ ବର୍ଷୀୟ ଖେଳାଳିଙ୍କ ଗଳା କାଟି ହତ୍ୟା
ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗଣା ଜିଲ୍ଲାର ବାରୁଇପୁରରେ ଏକ ଫୁଟବଲ୍ ମ୍ୟାଚ୍କୁ କେନ୍ଦ୍ର କରି ଘଟିଛି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଫୁଟବଲ୍ ମ୍ୟାଚ୍ରେ ବିଜୟ ପରେ ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ୧୭ ବର୍ଷୀୟ ଖେଳାଳି ପ୍ରସେଞ୍ଜିତ ବିଶ୍ୱାସଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଗଳା କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ପୁଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଚଳାଇଛି।
ସୂଚନା ଅନୁଯାୟୀ, ମ୍ୟାଚ୍ ଶେଷ ହେବା ପରେ ଅଭିଯୁକ୍ତମାନେ ପ୍ରସେଞ୍ଜିତଙ୍କୁ ଏକ ସ୍ଥାନକୁ ଡାକିଥିଲେ। ସେଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଗଳା କାଟି ଦେଇଥିଲେ। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ବାରୁଇପୁର ଉପଖଣ୍ଡ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ନ୍ୟାୟ ଦାବିରେ ହସ୍ପିଟାଲ ସମ୍ମୁଖରେ ରାସ୍ତାରୋକ କରି ପ୍ରତିବାଦ କରିଥିଲେ। ଅଭିଯୁକ୍ତମାନଙ୍କୁ ହସ୍ପିଟାଲକୁ ଆଣିବା ବେଳେ ପରିସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଥିଲା। ଫଳରେ ଅଭିଯୁକ୍ତମାନେ ଭୟଭୀତ ହୋଇ ହସ୍ପିଟାଲର ବେଡ୍ ତଳେ ଲୁଚି ରହିଥିଲେ । ଏହି ସମୟରେ ହସ୍ପିଟାଲ ପରିସରରେ ଥିବା ଏକ ପୁଲିସ ଫାଣ୍ଡିରେ ମଧ୍ୟ ଭଙ୍ଗାରୁଜା ହୋଇଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ରାପିଡ୍ ଆକ୍ସନ୍ ଫୋର୍ସ (RAF) ମୁତୟନ କରାଯାଇଥିଲା। ପୁଲିସ ଏହି ହତ୍ୟାକାଣ୍ଡର ପ୍ରକୃତ କାରଣ ଓ ଫୁଟବଲ୍ ମ୍ୟାଚ୍କୁ କେନ୍ଦ୍ର କରି ଥିବା ପୂର୍ବ ଶତ୍ରୁତାର ଦିଗକୁ ନେଇ ତଦନ୍ତ ଜାରି ରଖିଛି।

