ଇଣ୍ଡୋନେସିଆରେ ମୋଦୀଙ୍କୁ ଭବ୍ୟ ସ୍ୱାଗତ;’ଭାରତ-ଇଣ୍ଡୋନେସିଆ ସମ୍ପର୍କର ସୁବର୍ଣ୍ଣ ଅଧ୍ୟାୟ’ର ହେଲା ଶୁଭାରମ୍ଭ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଦିନିଆ ବିଦେଶ ଗସ୍ତରେ ମଙ୍ଗଳବାର ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା | ଇଣ୍ଡୋନେସିଆର ଆକାଶସୀମାରେ ପ୍ରବେଶ କରିବା ସମୟରେ ଭାରତୀୟ ବାୟୁସେନାର ବିମାନକୁ ଇଣ୍ଡୋନେସିଆର ଯୁଦ୍ଧ ବିମାନ ଏସ୍କର୍ଟ କରିଥିଲା। ପରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋୱୋ ନିଜେ ମୋଦୀଙ୍କୁ ସ୍ୱାଗତ କରିଥିଲେ | ମୋଦୀଙ୍କ ସ୍ୱାଗତରେ ପାରମ୍ପରିକ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା।
ରାଷ୍ଟ୍ରପତି ପ୍ରବୋୱୋଙ୍କ ବ୍ୟକ୍ତିଗତ ନିମନ୍ତ୍ରଣ କ୍ରମେ ଜୁଲାଇ ୬ରୁ ୮ ତାରିଖ ପର୍ଯ୍ୟନ୍ତ ମୋଦୀଙ୍କ ଏହି ରାଷ୍ଟ୍ରୀୟ ଗସ୍ତ ଚାଲିବ। ଏହା ଇଣ୍ଡୋନେସିଆକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚତୁର୍ଥ ଗସ୍ତ। ୨୦୧୮ରେ ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ସମ୍ପର୍କକୁ ‘କମ୍ପ୍ରିହେନ୍ସିଭ୍ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍’ ସ୍ତରକୁ ଉନ୍ନୀତ କରାଯିବା ପରେ ଏହା ଦୁଇ ଦେଶ ମଧ୍ୟରେ ପ୍ରଥମ ଦ୍ୱିପାକ୍ଷିକ ରାଷ୍ଟ୍ରୀୟ ଗସ୍ତ। ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଭାରତ-ଇଣ୍ଡୋନେସିଆ ସମ୍ପର୍କର ଏକ ନୂଆ ‘ସୁବର୍ଣ୍ଣ ଅଧ୍ୟାୟ’ର ଶୁଭାରମ୍ଭ ହୋଇଛି।
ଏହି ଗସ୍ତରେ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା, ସାମୁଦ୍ରିକ ସୁରକ୍ଷା, ବାଣିଜ୍ୟ ଓ କୌଶଳଗତ ସହଯୋଗକୁ ଆହୁରି ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ନିକଟ ଅତୀତରେ ଉଭୟ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ, ମିଳିତ ସାମରିକ ଅଭ୍ୟାସ, ପ୍ରତିରକ୍ଷା ଶିଳ୍ପରେ ସହଯୋଗ ଏବଂ ଇଣ୍ଡୋନେସିଆ ପକ୍ଷରୁ ଭାରତ ନିର୍ମିତ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ ମିସାଇଲ କ୍ରୟ ଭଳି ପଦକ୍ଷେପ ଦ୍ୱିପାକ୍ଷିକ ସମ୍ପର୍କକୁ ନୂଆ ଉଚ୍ଚତାକୁ ନେଇଛି। ଏହି ଗସ୍ତ ମାଧ୍ୟମରେ ଉଭୟ ଦେଶର କୌଶଳଗତ ସହଯୋଗ ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି।

