ଜମି ପଞ୍ଜିକରଣରେ ବଡ଼ ପରିବର୍ତ୍ତନ: ଏଣିକି ସମ୍ପୂର୍ଣ୍ଣ କ୍ୟାସ୍ଲେସ୍ କାରବାର,ଦଲାଲଙ୍କୁ ଲାଗିବ ରୋକ୍
ଭୁବନେଶ୍ୱର: ରାଜ୍ୟରେ ଜମି ପଞ୍ଜିକରଣ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ଡିଜିଟାଲ କରିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏଣିକି ଜମି କିଣାବିକା ସମ୍ପୂର୍ଣ୍ଣ କ୍ୟାସ୍ଲେସ୍ ହେବ। ପଞ୍ଜିକରଣ ସମୟରେ କୌଣସି ପ୍ରକାର ନଗଦ କାରବାର ହେବ ନାହିଁ। ପଞ୍ଜିକରଣ କାର୍ଯ୍ୟାଳୟରୁ ଦଲାଲଙ୍କ ହସ୍ତକ୍ଷେପ ଦୂର କରିବା ଏବଂ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିବା ଲକ୍ଷ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।
ରାଜସ୍ୱ ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଜମି ପଞ୍ଜିକରଣ ପାଇଁ ଆଉ ବାରମ୍ବାର ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟକୁ ଦଉଡ଼ି ବାକୁ ନାହିଁ। କେବଳ ଜମି ମାଲିକଙ୍କ ପରିଚୟ ଯାଞ୍ଚ ପାଇଁ ଥରେ କାର୍ଯ୍ୟାଳୟକୁ ଯିବାକୁ ହେବ। ପଞ୍ଜିକରଣ ପ୍ରକ୍ରିୟା ଶେଷ ହେବା ପରେ ଦଲିଲ ଅନଲାଇନ୍ ମାଧ୍ୟମରେ ଉପଲବ୍ଧ ହେବ। ପୂର୍ବରୁ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ନଗଦ କାରବାରର ବ୍ୟବସ୍ଥା ଥିଲେ ମଧ୍ୟ ଏବେ ତାହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ।
ଏହି ନୂଆ ବ୍ୟବସ୍ଥାର ସୁଚାରୁ ରୂପାୟନ ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଖୁବଶୀଘ୍ର ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (SOP) ଜାରି କରାଯିବ। ସେହିପରି ରାଜସ୍ୱ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ମଧ୍ୟ ପ୍ରଦାନ କରାଯିବ। ସରକାରଙ୍କ ଏହି ପଦକ୍ଷେପ ଫଳରେ ଜମି ପଞ୍ଜିକରଣ ପ୍ରକ୍ରିୟା ଅଧିକ ସରଳ, ସ୍ୱଚ୍ଛ ଓ ଦ୍ରୁତ ହେବା ସହ ଦଲାଲଙ୍କ ପ୍ରଭାବ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

