ହାର୍ଟ ଓ ସୁଗାର ରୋଗୀ ଅମରନାଥ ଯାତ୍ରା କରିପାରିବେ କି? ଯିବା ପୂର୍ବରୁ ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ…
ଶ୍ରୀ ଅମରନାଥ ଯାତ୍ରାକୁ ଯିବା ପୂର୍ବରୁ ନିଜର ସ୍ୱାସ୍ଥ୍ୟ ଓ ଶାରୀରିକ କ୍ଷମତା ବିଷୟରେ ନିଶ୍ଚିତ ହେବା ଅତ୍ୟନ୍ତ ଜରୁରୀ। ବିଶେଷକରି ହାର୍ଟ, ଡାଇବେଟିସ୍, କିଡନୀ କିମ୍ବା ଶ୍ୱାସଜନିତ ରୋଗରେ ପୀଡ଼ିତ ବ୍ୟକ୍ତିମାନେ ଯାତ୍ରା ପୂର୍ବରୁ ନିଶ୍ଚିତ ଭାବେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଡାକ୍ତରଙ୍କ କହିବା ଅନୁଯାୟୀ, ବୟସ୍କ କିମ୍ବା ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତିମାନେ ଏଭଳି କଠିନ ପାହାଡ଼ିଆ ଯାତ୍ରା ଆରମ୍ଭ କରିବା ପୂର୍ବରୁ ନିଜର ଫିଟନେସ୍ ଯାଞ୍ଚ କରାଇବା ନିହାତି ଆବଶ୍ୟକ।
ଡାକ୍ତରଙ୍କ ମତ ଅନୁସାରେ , ଅଧିକ ଉଚ୍ଚତାରେ ଯାତ୍ରା କରିବା ପାଇଁ ଶରୀର ସକ୍ଷମ କି ନୁହେଁ, ତାହା ପୂର୍ବରୁ ଜାଣିବା ଦରକାର। ଏଥିପାଇଁ ରକ୍ତ ପରୀକ୍ଷା, ହାର୍ଟ ପରୀକ୍ଷା, ହିମୋଗ୍ଲୋବିନ୍, ବ୍ଲଡ୍ ସୁଗାର, କିଡନୀ ଏବଂ ହାର୍ଟର କାର୍ଯ୍ୟକ୍ଷମତା ଯାଞ୍ଚ କରିବା ନିଶ୍ଚିତ ଭାବେ ଆବଶ୍ୟକ । ଯଦି ଶ୍ୱାସକ୍ରିୟା ଜନିତ କଷ୍ଟ କିମ୍ବା ଅନ୍ୟ କୌଣସି ପୁରୁଣା ରୋଗ ଥାଏ, ତେବେ ସେଗୁଡ଼ିକ ନିୟନ୍ତ୍ରଣରେ ଅଛି କି ନାହିଁ, ତାହା ମଧ୍ୟ ନିଶ୍ଚିତ କରିବା ଜରୁରୀ ଅଟେ | ଯଦି ଡାକ୍ତର ଯାତ୍ରା ପାଇଁ ଅନୁମତି ନ ଦିଅନ୍ତି, ତେବେ ଯାତ୍ରାକୁ ଏଡ଼ାଇବା ହିଁ ସୁରକ୍ଷିତ।
ତେବେ ଯାତ୍ରା ପୂର୍ବରୁ ନିୟମିତ ବ୍ୟାୟାମ କରି ଶରୀରକୁ ପ୍ରସ୍ତୁତ କରିବା, ପ୍ରୋଟିନ୍ଯୁକ୍ତ ଖାଦ୍ୟ ଖାଇବା ଏବଂ ଶରୀରର ଶକ୍ତି ବଢ଼ାଇବାକୁ ପରାମର୍ଶ ଦିଆଯାଇଛି। ସାଙ୍ଗରେ ପ୍ରଥମିକ ଚିକିତ୍ସା କିଟ୍, ନିୟମିତ ଖାଉଥିବା ଔଷଧ, କାଶ-ଜ୍ୱର, ବାନ୍ତି, ପେଟ ଖରାପ, ଏସିଡିଟି ଭଳି ସମସ୍ୟାର ଔଷଧ ରଖିବା ଉଚିତ। ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ଶ୍ୱାସକଷ୍ଟ, ଛାତିରେ ଯନ୍ତ୍ରଣା, ଅକ୍ସିଜେନ୍ ସ୍ତର କମିଯିବା, ମୁଣ୍ଡ ବୁଲାଇହେବା ଭଳି ଅନୁଭବ ହେବା କିମ୍ବା ବାନ୍ତି ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ନିକଟସ୍ଥ ମେଡିକାଲ୍ ଚେକ୍ପଏଣ୍ଟରେ ଯାଞ୍ଚ କରାଇବା ଆବଶ୍ୟକ। ଡାକ୍ତରଙ୍କ ଅନୁମତି ମିଳିଲେ ହିଁ ଯାତ୍ରା ଜାରି ରଖିବା ଉଚିତ, ନଚେତ୍ ସୁରକ୍ଷାକୁ ପ୍ରାଥମିକତା ଦେଇ ଫେରିଆସିବା ଭଲ।

